ବେଜିଂ: ଭାରତରେ ଦ୍ଵିତୀୟ ଲହରକୁ ବଳ ଯୋଗାଇଥିବା ଡେଲଟା ଭାରିଆଣ୍ଟ ଏବେ ଚାଇନାରେ ଚିହ୍ନଟ ହୋଇଛି। ଆମେରିକା, ବ୍ରିଟେନ, ରୁଷିଆ ଭଳି ଅନେକ ଦେଶ ପାଇଁ ଏହି ଭାରିଆଣ୍ଟ ଚିନ୍ତାଜନକ ପାଲଟିଥିବା ବେଳେ ଏବେ ଚାଇନାରେ ଚିହ୍ନଟ ହୋଇଛି ଏହି ଘାତକ ଭାରିଆଣ୍ଟ। ପୂର୍ବ ଚାଇନାର ରାଜଧାନୀ ଜିଆଙ୍ଗସୁରେ ଥିବା ନାନଜିଙ୍ଗରେ ଏବେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ଏହି ସୂଚନା ଦେଇଛି। ଏଥିସହ ଏହି ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ସ୍ଥାନରେ ସଂକ୍ରମଣ ବୃଦ୍ଧିକୁ ଦେଖି କରୋନା କଟକଣା ନିୟମ ଲାଗୁ କରାଯାଇଛି। ନାନଜିଙ୍ଗକୁ ଯିବା ଆସିବା ଉପରେ ରୋକ୍ ଲଗାଇଛି ପ୍ରଶାସନ।
ନାନଜିଙ୍ଗିରେ ଥିବା ଔଷଧ ଦୋକାନରେ ଥଣ୍ଡା, କଫ, ଭାଇରାଲ ଜ୍ୱର ପାଇଁ ଔଷଧ, ଆଣ୍ଟିବାୟୋଟିକ ଆଦି ଔଷଧ ବିକ୍ରି ଉପରେ ରୋକ୍ ଲଗାଯାଇଛି। ସ୍ଥାନୀୟ ପ୍ରଶାସନ ଏଭଳି ନିୟମ ଜାରି କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରିଛି। ଏହି ଔଷଧ ସାର୍ବଜନୀନ ଦୋକାନରେ ବିକ୍ରି ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲୁଚି ଯିବାର ଆଶଙ୍କା କରି ପ୍ରଶାସନ ଏହି ନିୟମ ଜାରି କରିଛି। ତେଣୁ ଯେଉଁମାନଙ୍କ ପାଖରେ ଜ୍ୱର, ଥଣ୍ଡା, କାଶ ଆଦି ଏହି ସଂକ୍ରାନ୍ତୀୟ ରୋଗ ଚିହ୍ନଟ ହେବ ସେମାନେ ସ୍ଥାନୀୟ ହସ୍ପିଟାଲ, ପଞ୍ଜିକୃତ କ୍ଲିନିକରେ ଆସି ରେଜିଷ୍ଟ୍ରେସନ କରିବେ। ଏହାପରେ ଚିକିତ୍ସାର ଲାଭ ନେବେ। ସେହିପରି କରୋନା ସଂକ୍ରମଣକୁ ନଜରରେ ରଖି ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ଏବଂ ଇନଡୋର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି।
ନାନଜିଙ୍ଗର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଉପ ନିର୍ଦ୍ଦେଶକ ଡିଙ୍ଗ ଜିଏ କହିଛନ୍ତି, ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରେ ଲୋକାଲ କେସ୍ ଅଧିକ ରହିଛି। ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ପାଖରେ ଡେଲଟା ଭାରିଆଣ୍ଟ ରହିଛି। ଯାହାକି ମାରାତ୍ମକ ବୋଲି ସେ କହିଛନ୍ତି।
ଏହି ସହରର ଜନସଂଖ୍ୟା ୯.୩ ମିଲିଅନ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଏହି ସହରରେ ଥିବା ବିମାନ ବନ୍ଦରର କର୍ମଚାରୀ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ନାନଜିଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ସହରବାସୀ କାମ ନଥିଲେ ଘରୁ ନବାହାରିବାକୁ ସ୍ଥାନୀୟ ପ୍ରଶାସନ କହିଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ନାନଜିଙ୍ଗ ପ୍ରଶାସନ ଟେଷ୍ଟ ସଂଖ୍ୟା ଅଧିକରୁ ଅଧିକ କରିବା ଉପରେ ଗୁରୁତ୍ୱ ଦେଉଛି। ସହରରେ ଏକ ଫାଲକାନ ଲ୍ୟାବ ଏବେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଠି ଗୋଟିଏ ଦିନରେ ୧ ଲକ୍ଷ ୮୦ ହଜାର ନମୁନା ପରୀକ୍ଷା କରିହେବ।
The post ଚାଇନାରେ ଡେଲଟା ଭାରିଆଣ୍ଟ, ନାନଜିଙ୍ଗକୁ ଯିବା ଆସିବା ଉପରେ ରୋକ୍ appeared first on Odisha Reporter.
from Odisha Reporter https://ift.tt/3ybNdPQ
No comments:
Post a Comment