ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି। ଦଳ ଭଲ ଖେଳିଥିଲେ ବି ୪-୩ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ୍ ଠାରୁ ପରାସ୍ତ ହୋଇଛି। ହାରିଯିବା ପରେ ଭାରତୀୟ ଦଳର ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କେହି କେହି ଦୁଃଖରେ ଗ୍ରାଉଣ୍ଡରେ ବସି ରହିଥିଲେ। ଏମିତିକି ଗ୍ରେଟ୍ ବ୍ରିଟେନ୍‌ର ଖେଳାଳିମାନେ ସେମାନଙ୍କୁ ସାନ୍ତ୍ୱନା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଟୋକିଓରୁ ବହୁ ଦୂର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଘରେ ବସି ଟିଭିରେ ମ୍ୟାଚ୍ ଦେଖୁଥିବା ଭାରତୀୟ ପୁରୁଷ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲ୍ଲୀପ ତିର୍କୀଙ୍କ ଆଖିରେ ମଧ୍ୟ ଆସିଯାଇଥିଲା ଲୁହ। ସେ ବି ମହିଳା ଟିମ୍‌ର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରି ନଥିଲେ।

ମ୍ୟାଚ୍‌ ପରେ ଦିଲ୍ଲୀପ କହିଥିଲେ, ଆଜି ମ୍ୟାଚ୍‌କୁ ଜିତିବା ପାଇଁ ମହିଳା ଟିମ୍‌ ପାଖରେ ସୁଯୋଗ ଥିଲା। ଗୋଲ୍ କରିବାର କିଛି ସୁଯୋଗକୁ ଟିମ୍ ହାତ ଛଡ଼ା କରିଥିଲା। ଦଳ ମ୍ୟାଚ୍‌ରେ ଦୁଇଟି ଓପନ୍ ଫିଲ୍ଡ ଗୋଲ୍ ମିସ୍ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶେଷ ଦୁଇଟି କ୍ୱାର୍ଟରରେ ଦଳ ଗ୍ରୀନ୍ ଓ ୟୋଲ୍ କାର୍ଡକୁ ସହଜରେ ହରେଇ ଦେଲା। ଆମର ତିନି ଜଣ ଖେଳାଳି ୧୦ ମିନିଟ୍ ବାହାରେ ବସିଲେ। ଦଳ ୧୦ ଜଣ ଖେଳାଳିରେ ଖେଳିଲା। ଏଭଳି ମ୍ୟାଚ୍‌ରେ ୧୦ ଜଣରେ ଖେଳିବା ବଡ଼ କଷ୍ଟ। ଏହା ଆମକୁ ମହଙ୍ଗା ପଡ଼ିଛି। ମୁଁ ଭାବୁଛି ଗ୍ରେଟ୍ ବ୍ରିଟେନ୍‌ ଏହାର ଫାଇଦା ଉଠାଇଲା।


ସେ କହିଥିଲେ, ଆମ ମହିଳା ଦଳ ଆଜି ବ୍ରୋଞ୍ଜ ପଦକକୁ ହାତଛଡ଼ା କରି ଦେଇଛି ସତ, କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ଆଜି ବି ଦଳ ଭଲ ଖେଳିଥିଲା। ଗୁରଜିତ୍ କୌର, ସବିତା, ଦୀପ ଗ୍ରେସ୍ ଇକ୍କା, ବନ୍ଦନା କଟାରିଆ ଏବଂ ଅନ୍ୟ ସମସ୍ତଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଦଳ ମ୍ୟାଚ୍ ହାରିଛି, କିନ୍ତୁ କୋଟି କୋଟି ଭାରତୀୟଙ୍କ ମନ ଜିତି ନେଇଛି।

ସମସ୍ତେ ବାଧ୍ୟ ହେଲେ ହକି ଦେଖିବାକୁ

ଦିଲ୍ଲୀପ କହିଛନ୍ତି, ଏଇ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଯେଉଁ ଭଳି ଭାବେ ଖେଳିଳେ, ତାହା ଆମ ସମସ୍ତଙ୍କୁ ହକି ଦେଖିବାକୁ ବାଧ୍ୟ କଲା। ଉଭୟ ଦଳର ସବୁ କ୍ଷେତ୍ରରେ ଉନ୍ନତି ହୋଇଛି। ସେମାନେ ବହୁତ ବଢ଼ିଆ ଖେଳିଛନ୍ତି। ସେମାନଙ୍କ ପ୍ରଦର୍ଶନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଯେଉଁମାନେ ହକି ଖେଳିବାକୁ ଚାହୁଁଛନ୍ତି ଓ ଏହା ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହା (ଉଭୟ ମହିଳା ଓ ପୁରୁଷ ଦଳର ପ୍ରଦର୍ଶନ) ନିଶ୍ଚିତ ପ୍ରୋତ୍ସାହିତ କରିବ ଓ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଇତିହାସରେ ଚଳିତ ଥର ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିଲା। ତେବେ ଦଳ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଥିଲା। ଏହା ପରେ ବି ଦଳ ପାଖରେ ବ୍ରୋଞ୍ଜ ପଦକ ହାତେଇବା ଓ ଆଉ ଏକ ଇତିହାସ ରଚିବାର ସୁଯୋଗ ଥିଲା। କିନ୍ତୁ ଆଜି ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରି ଏହି ସୁଯୋଗକୁ ହାତଛଡ଼ା କରିଥିଲା।

The post ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ appeared first on Odisha Reporter.



from Odisha Reporter https://ift.tt/3Cocyc0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages