ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ରାତି ପାହିଲେ ପାଣି ପାଇଁ କରିବାକୁ ପଡ଼ୁଛି ସଂଘର୍ଷ । ମଝି ନଈରେ ଚୁଆ ଖୋଳି ମୁନ୍ଦେ ମୁନ୍ଦେ ପାଣି ସଂଗ୍ରହ କରି ଗରା, ବାଲଟି ଭର୍ତ୍ତି କରୁଛନ୍ତି ମହିଳା । ପାଇପ୍ ପାଣି ଯୋଗାଣ ପାଇଁ ୫୭ ଲକ୍ଷ ଟଙ୍କାର ଓଭରହେଡ ଟ୍ୟାଙ୍କ ବି କୌଣସି କାମରେ ଆସୁନି। ଫଳରେ ବର୍ଷ ସାରା ଏପରି ଦୁଃସ୍ଥିତି ଦେଇ ଗତି କରୁଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତବାସୀ।
ପିଇବା ପାଣି ସମସ୍ୟାର ସମାଧାନ ପାଇଁ ୨୦୦୭ ମସିହାରେ ତତ୍କାଳୀନ ସାଂସଦଙ୍କ ପାଣ୍ଠିରୁ ସଦାଶିବପୁର ପଞ୍ଚାୟତରେ ୫୭ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ଓଭରହେଡ ଟାଙ୍କି କରାଯାଇଥିଲା । ମାତ୍ର ଉଦ୍ଘାଟନର କିଛି ଦିନ ପରେ ଏହା ଅକାମୀ ହୋଇପଡ଼ିଥିଲା । ସ୍ଥାନୀୟ ସରପଞ୍ଚ ୨୦୧୭ ମସିହାରେ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରି ନିଜସ୍ୱ ଉଦ୍ୟମରେ ଜଳ ସଂଗ୍ରହ ହେଉଥିବା ବନ୍ଧକୁ ସଫା କରାଇଥିଲେ । ମାତ୍ର ଏବେ ପୁଣି ଏହା ଅପରିଷ୍କାର ହୋଇଗଲାଣି । ଏ ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।
ମାସକୁ ଥରେ ଦୁଇ ଥର ସପ୍ଲାଏ ପାଣି ଆସୁଛି। ପାଣି ପରିଷ୍କାର ନ ଥିବାରୁ ବହୁତ ରୋଗ ହେଉଛି। ସବୁଦିନ ନଦୀକୁ ଯାଇ ପାଣି ଆଣୁଛୁ। ବହୁତ ହଇରାଣ ହେଉଛୁ ବୋଲି କହିଛନ୍ତି ବିନି ସାହୁ ଓ ଶ୍ରୀମତି ସାହୁ ନାମ୍ନୀ ୨ ମହିଳା।
ସୂଚନା ଅନୁଯାୟୀ, ଗାଁରେ ପାଇପ୍ ଲାଇନ୍ ପଡ଼ିଥିଲେ ବି ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ । ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲି ଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ । ଓଭରହେଡ୍ ଟ୍ୟାଙ୍କ୍ ଅଚଳ ପଡ଼ିଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋପାଏ ପାଣି ପାଇଁ ସେମାନଙ୍କୁ ଯିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ।
ମଝି ନଈରେ ଚୁଆ ଖୋଳି ମୁନ୍ଦେ ମୁନ୍ଦେ କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଗରା, ଡେକଚି ଫୁଲ୍ ହେବା ପରେ ମୁଣ୍ଡରେ ମୁଣ୍ଡେଇ ଘର ଅଭିମୁଖେ ବାହୁଡ଼ୁଛନ୍ତି । ଦିନେ ଅଧେ ନୁହେଁ, ପାଣି ପାଇଁ ନିଇତି ଏମିତି ସଂଘର୍ଷ କରୁଛନ୍ତି ସଦାଶିବପୁର ପଞ୍ଚାୟତବାସୀ।
ଜଳ ସଂଗ୍ରହ ହେଉଥିବା ବନ୍ଧ ଖୋଲା ଥିବାରୁ ତାହା ବର୍ଷକୁ ୩, ୪ ଥର ସଫା ହେବା ଦରକାର। ନଦୀରୁ ପାଣି ଆସୁଛି, ବୋରିଂରୁ ଆସୁନି। ଫିଲଟର ମେସିନ ଖରାପ ଅଛି। ସରକାରଙ୍କୁ ସମସ୍ୟା ଜଣାଇଛୁ। କିଛି ପଦକ୍ଷେପ ନିଆଯାଇନି ବୋଲି କହିଛନ୍ତି ସଦାଶିବପୁର ପଞ୍ଚାୟତ ସରପଞ୍ଚ ଈଶ୍ୱର ଚନ୍ଦ୍ର ରାଉତ।
ଏନେଇ ଫୋନ୍ରେ ଓଡ଼ପଡ଼ା ବିଡିଓ ଦାଶରଥି ଜେନା କହିଛନ୍ତି, ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଜେଇଙ୍କୁ ପଠାଇଥିଲି। ସେ ରିପୋର୍ଟ ଦେବା ପରେ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।
The post ରାତି ପାହିଲେ ମୁନ୍ଦେ ପାଣି ପାଇଁ ଆରମ୍ଭ ହେଉଛି ସଂଘର୍ଷ appeared first on Odisha Reporter.
from Odisha Reporter https://ift.tt/3yvEEj6
No comments:
Post a Comment