କାବୁଲ: ଆଫଗାନିସ୍ତାନର କାବୁଲରେ ଘଟିଥିବା ସିରିଜ୍ ବିସ୍ଫୋରଣ ପରେ ଆତଙ୍କୀଙ୍କୁ ଖୋଜିଖୋଜି ମାରିବାକୁ ପଣ କରିଥିବା ଆମେରିକା ଏହାକୁ କାମରେ କରି ଦେଖାଇଛି। ଗୁରୁବାର ବିସ୍ଫୋରଣ ପରେ ଶନିବାର ସକାଳୁ ଆମେରିକା ପକ୍ଷରୁ କାବୁଲ ବିସ୍ଫୋରଣରେ ସାମିଲ ଥିବା ଆଇସଏସ୍ ଆତଙ୍କୀ ସଂଗଠନର ଆଡ୍ଡା ଉପରେ ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଛି।
ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଆମେରିକା କରିଥିବା ଡ୍ରୋନ୍ ଷ୍ଟ୍ରାଇକରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିବା ଆଇଏସ୍ର ଜଣେ ଆତଙ୍କୀ ନିହତ ହୋଇଛି। ଆହୁରି ଅନେକ ସ୍ଥାନରେ ଆମେରିକା ଡ୍ରୋନ୍ ଷ୍ଟ୍ରାଇକ କରିଥିଲେ ହେଁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଆଇଏସ୍ ହିଁ ଷଡ଼ଯନ୍ତ୍ର କରିଥିଲା। ଏହି ଯୋଜନାର ମାଷ୍ଟରମାଇଣ୍ଡ ଡ୍ରୋନ୍ ଷ୍ଟ୍ରାଇକରେ ନିହତ ହୋଇଛି। ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରାଣ ହରାଇଛି। କୌଣସି ସାଧାରଣ ଲୋକଙ୍କ କ୍ଷତି ହୋଇନାହିଁ। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଆମେରିକା ଡ୍ରୋନ୍ ତା’ର ଟାର୍ଗେଟକୁ ହିଟ୍ କରିଛି। ଆଗକୁ ମଧ୍ୟ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେଣ୍ଟ୍ରାଲ କମାଣ୍ଡ ଦମ୍ଭୋକ୍ତି କରିଛି।
ଅନ୍ୟପକ୍ଷରେ କାବୁଲରେ ପୁଣି ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଏୟାରପୋର୍ଟ ଗେଟ୍ ନିକଟରୁ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ନିଜ ଦେଶର ନାଗରିକ ନୁହନ୍ତି, ଆଫଗାନବାସୀଙ୍କୁ ମଧ୍ୟ ଏୟାରପୋର୍ଟ ଗେଟ୍ ଛାଡ଼ିବାକୁ ଆମେରିକା ପରାମର୍ଶ ଦେଇଛି।
ସେହିପରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆମେରିକା ଯୁଦ୍ଧଗ୍ରସ୍ତ କାବୁଲ ଏୟାରପୋର୍ଟରୁ ଉଦ୍ଧାର କାମ ଜାରି ରଖିଛି। ବିସ୍ଫୋରଣ ସତ୍ତ୍ୱେ ଆମେରିକା ପ୍ରାୟ ୭,୫୦୦ ଜଣଙ୍କୁ କାବୁଲ ଏୟାରପୋର୍ଟରୁ ଏୟାରଲିଫ୍ଟ କରିଛି। ତାଲିବାନ ଆମେରିକା ସେନାକୁ ଅଗଷ୍ଟ ୩୧ ସୁଦ୍ଧା କାବୁଲ ଛାଡ଼ିବାକୁ କହିଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ୱାଶିଂଟନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି। ଏବେ ବି ଶହଶହ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫଗାନ ନାଗରିକ ଥିବା ବେଳେ ଆମେରିକାର ୧୩ ଜଣ ସେନା ଯବାନ ରହିଛନ୍ତି। ଏହି କାରଣରୁ ଆମେରିକା ହମଲାର ପ୍ରତିଶୋଧ ନେବାକୁ ଘୋଷଣା କରିଛି।
The post କାବୁଲ ବିସ୍ଫୋରଣର ବଦଲା: ଆଇଏସ୍ ଆଡ୍ଡାରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ appeared first on Odisha Reporter.
from Odisha Reporter https://ift.tt/3jmnqPT
No comments:
Post a Comment