ଆଳି(ବନମାଳୀ ସାହୁ): ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ଖରସ୍ରୋତା ନଦୀରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଗତ ୨ ବର୍ଷ ହେବ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଚାଲିଛି।
କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଉଛି। ହେଲେ ନଛୋଡ଼ବନ୍ଧା ପ୍ରଶାସନ ବି ପ୍ରକଳ୍ପ ନିର୍ମାଣ ଲାଗି ପ୍ରସ୍ତୁତ କରି ସାରିଛି ଆକ୍ସନ ପ୍ଲାନ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ଲଗାଯାଇଛି ୧୪୪ ଧାରା। ପ୍ରକଳ୍ପକୁ ଲାଗିରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଆଦି ତିନୋଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ।
କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ଘୋର ପ୍ରଭାବ ପଡ଼ିବ ବୋଲି କୁହାଯାଇ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍ ମାରିଛି।
କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ଚେତାବନୀ ଦେଇଛି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟରେଜ ନିର୍ମାଣ କରି ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । ସମିତିର ବିରୋଧ ପରେ ଆଳି, ରାଜକନିକା ପାଇଁ ଆଉ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି।
ପ୍ରଶାସନିକ ସ୍ତରରେ ପ୍ରକଳ୍ପକୁ ନେଇ ତତ୍ପରତା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । ଏହାକୁ ନେଇ ପ୍ରଶାସନ ଓ ଖରସ୍ରୋତା ବଞ୍ଚାଓ ସମିତି ପକ୍ଷରୁ ଛକାପଞ୍ଝା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ଏହି କଟକଣା ଲାଗୁ କରାଯାଇଛି ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କହିଛନ୍ତି।
ଅନ୍ୟପଟେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଦୁଇ ଦିନ ହେବ ପ୍ରକଳ୍ପ ସ୍ଥାନରେ ଧାରଣା ଜାରି ରହିଛି । ଆଗକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି ।
ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଭାପତି ଦୁର୍ଯୋଧନ ମହାନ୍ତି କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ପୁଲିସ୍କୁ ବିରୋଧ କରିବୁ। ଆଇନକୁ ହାତକୁ ନେବୁ ନାହିଁ। କିନ୍ତୁ ପୁଲିସ୍ ତା’ ତରଫରୁ ପ୍ରଶାସନ ଓ କମ୍ପାନୀ ପ୍ରିତୀ ଦେଖାଇ ଦମନ ଲୀଳା କଲେ ଏହାର ଜବାବ ସାଧାରଣ ଲୋକ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।
ଅପରପକ୍ଷେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆବାହକ ଦେବେନ୍ଦ୍ର ଶର୍ମା କହିଛନ୍ତି, ଆମ ଦାବିରେ ଆମେ ଅଟଳ ଅଛୁ। ଶାନ୍ତିପୂର୍ଣ୍ଣ ଉପାୟରେ ଆମେ ଏହାର ବିରୋଧ କରିବୁ।
The post ମେଗା ପ୍ରକଳ୍ପକୁ ବିରୋଧ, ୩ ପଞ୍ଚାୟତରେ ଦୁଇ ମାସ ପାଇଁ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3CxmTCo
No comments:
Post a Comment