ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ (ରେଭିନ୍ୟୁ ଇନ୍ସପେକ୍ଟର/ଆରଆଇ) ପଦବୀ ପାଇଁ ପରୀକ୍ଷା ହେଉଥିବା ବେଳେ ଏକ ବଡ଼ ବିଭ୍ରାଟ ସାମ୍ନାକୁ ଆସିଛି। ଏଥିପାଇଁ ଶତାଧିକ ପରୀକ୍ଷାର୍ଥୀ ହଇରାଣ ହୋଇଛନ୍ତି।
ଏହି ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ର- ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ରୋଡ୍, ନିଅର ସବ୍-କଲେକ୍ଟର,ପିଏସ୍- ଟାଉନ୍ ପୁଲିସ୍ ଷ୍ଟେସନ୍, ପିଓ- ହେଡ୍ ପୋଷ୍ଟ ଅଫିସ୍, ବଲାଙ୍ଗିର ବୋଲି ଲେଖାଯାଇଛି। ତେଣୁ ପରୀକ୍ଷା କେନ୍ଦ୍ର ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟରେ ପଡ଼ିଛି ବୋଲି ସେମାନେ ଭାବି ନେଇଥିଲେ। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଠାରେ ସେଣ୍ଟର ପଡ଼ି ନଥିବା ଜାଣିବାକୁ ପାଇଥିଲେ। ଟିଟିଲାଗଡ଼ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ସେଠାରେ ସେଣ୍ଟର ହୋଇ ନଥିବା କହିଥିଲେ।
ପ୍ରୀତି ଗୋଚ୍ଛାୟତ ନାମକ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଏଠାରେ ଯେଉଁମାନଙ୍କ ସେଣ୍ଟର ପଡ଼ିଥିଲା ସମସ୍ତେ ସକାଳ ଆଠଟା ସୁଦ୍ଧା ପହଞ୍ଚି ଯାଇଥିଲେ। କିନ୍ତୁ ଏଠାରେ ସେଣ୍ଟର ହୋଇ ନଥିବା ଜାଣିବାକୁ ପାଇଲୁ। ବୁଝାବୁଝି କଲା ପରେ ଆମେ ଯାହା ଜାଣିବାକୁ ପାଇଲୁ ଆମ ପାଇଁ ବଲାଙ୍ଗିର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ଏହି ଘଟଣା ଜଣାପଡ଼ିବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ପୁଲିସ୍ ପହଞ୍ଚି ପରୀକ୍ଷାର୍ଥୀମାନଙ୍କୁ ବୁଝାସୁଝା କରିଥିଲେ। ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ କଥା ହେବା ପରେ ପରୀକ୍ଷାର୍ଥୀମାନଙ୍କୁ ବସ୍ ଯୋଗେ ବଲାଙ୍ଗିର ପଠାଇ ଦିଆଯାଇଛି। ସେମାନେ ସେଠାରେ ସରକାରୀ ମହିଳା ମହାବିଦ୍ୟାଳୟରେ ଦିନ ୧୨ଟାରୁ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଓଏସ୍ଏସ୍ସି ଏହି ପରୀକ୍ଷା ପରିଚାଳନା କରୁଛି।
The post ଆର୍ଆଇ ପରୀକ୍ଷାରେ ବଡ଼ ବିଭ୍ରାଟ appeared first on Odisha Reporter.
from Odisha Reporter https://ift.tt/3ythWax
No comments:
Post a Comment