ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ କାର୍ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ ଓ ବୋହୂ।
ଏହି ବିଧାୟକଙ୍କ ନାଁ ୱାଇ ପ୍ରକାଶ। ସେ ଡିଏମ୍କେ ଦଳର। ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ପୁଅଙ୍କ ନାଁ କରୁଣା ସାଗର। ସେହିଭଳି ତାଙ୍କ ବୋହୂଙ୍କ ନାଁ ବିନ୍ଦୂ।
ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଅଡି କ୍ୟୁ୩ କାରରେ ମୋଟ ୭ ଜଣ ଲେଟ୍ ନାଇଟ୍ ଡ୍ରାଇଭରେ ବାହାରିଥିଲେ। ତେବେ ରାତି ପ୍ରାୟ ଅଢ଼େଇଟା ବେଳେ କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସିସିଟିଭିରୁ ଦେଖିବାକୁ ମିଳିଛି ଯେ କାର୍ଟି ପ୍ରଥମେ ଭାରସାମ୍ୟ ହରାଇ ଫୁଟ୍ପାଥ୍ ଉପରକୁ ଚଢ଼ି ଯାଇଥିଲା। ତା’ପରେ ଏହା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। କାର୍ଟି ଏତେ ଜୋରରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ଯେ ଏହାର ଗୋଟିଏ ଆଗ ଚକ ବାହାରି ଉପରକୁ ଉଡ଼ି ଯାଇଥିଲା।
୩ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ହସ୍ପିଟାଲ୍ରେ ମୃତ୍ୟୁ ଘଟିଥିଲା। ସମସ୍ତଙ୍କ ବୟସ ୩୦ ଭିତରେ ହେବ ବୋଲି ଜଣାପଡ଼ିଛି।
The post ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା କାର୍; ୭ ମୃତକଙ୍କ ମଧ୍ୟରେ ବିଧାୟକଙ୍କ ପୁଅ ଓ ବୋହୂ appeared first on Odisha Reporter.
from Odisha Reporter https://ift.tt/3jx35rw
No comments:
Post a Comment