ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ବ୍ୟାଡ୍ମିଣ୍ଟନ୍ ଷ୍ଟାର ପିଭି ସିନ୍ଧୁ। ଏହା ସହିତ ସେ ଦେଶବାସୀଙ୍କ ହୃଦୟ ଜିତିଛନ୍ତି। ତେବେ କେବଳ ଦେଶବାସୀଙ୍କର ନୁହେଁ, ସେ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ପୁଣି ସେହି ପ୍ରତିଦ୍ୱନ୍ଦ୍ୱୀ, ଯାହାଙ୍କ ଠାରୁ ହାରି ସିନ୍ଧୁ ଫାଇନାଲ୍ରେ ପହଞ୍ଚି ପାରି ନଥିଲେ। ଏବେ ଜାଣିଲେ ତ କିଏ ସେହି ପ୍ରତିଦ୍ୱନ୍ଦ୍ୱୀ ? ସେ ହେଉଛନ୍ତି ତାଇପେଇର ତାଇ ଜୁ ୟିଙ୍ଗ୍।
ସିନ୍ଧୁଙ୍କୁ ହରାଇ ଟୋକିଓ ଅଲିମ୍ପିକ୍ସର ବ୍ୟାଡ୍ମିଣ୍ଟନ୍ ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଥିଲେ ତାଇ ଜୁ ୟିଙ୍ଗ୍। ତେବେ ସେ ଫାଇନାଲ୍ରେ ହାରି ଯାଇଥିଲେ। ଚୀନର ଚେନ୍ ୟୁଫେଇଙ୍କ ଠାରୁ ସେ ୨୧-୧୮, ୧୯-୨୧ ଓ ୨୧-୧୮ରେ ହାରି ରୌପ୍ୟ ପଦକ ପାଇଥିଲେ। ତେବେ ପଦକ ପ୍ରଦାନ ଉତ୍ସବ ପରେ ଭାରତର ପି.ଭି ସିନ୍ଧୁ ତାଙ୍କୁ କହିଥିବା ଦୁଇ ପଦ କଥା ତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସେ ସାମାନ୍ୟ କାନ୍ଦି ପକାଇଥିଲେ।
ତାଇ ଜୁ ୟିଙ୍ଗ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ‘ପିଭି ସିନ୍ଧୁ ମୋତେ କୋଳେଇ ନେଇଥିଲେ ଏବଂ କହିଥିଲେ- ମୁଁ ଜାଣିଛି ତୁମେ ଅସୁସ୍ଥ ଅଛ। କିନ୍ତୁ ତୁମେ ବହୁତ ଭଲ ଖେଳିଳ। ତେବେ ଆଜି ଦିନଟି ତୁମର ନଥିଲା।’
ତାଇ ଆହୁରି ଲେଖିଛନ୍ତି, ସେ (ସିନ୍ଧୁ) ମୋ ହାତକୁ ଧରି କହିଥିଲେ ଯେ ସେ ସବୁ ଜାଣନ୍ତି। ଆଉ ତାଙ୍କର ସେହି ପ୍ରେରଣା ମୋତେ କନ୍ଦାଇ ଦେଲା।’
ତାଇଙ୍କ ଫ୍ୟାନ୍ମାନେ ଆଶା ବାନ୍ଧିଥିଲେ ଯେ ସେ ସ୍ୱର୍ଣ୍ଣ ପଦକ ଜିତିବେ। ଯଦିଓ ତାଇଙ୍କୁ ମାତ୍ର ୨୭ ବର୍ଷ ହୋଇଛି, ତଥାପି ସେ ଟୋକିଓ ଅଲିମ୍ପିକ୍ସ ପରେ ଅବସର ନେବେ ବୋଲି ପୂର୍ବରୁ ଇସାରା ଦେଇଥିଲେ। ଥରେ ସେ କହିଥିଲେ, ‘ଅଧା ଜୀବନ ବ୍ୟାଡ୍ମିଣ୍ଟନ୍ ଖେଳିବାରେ ବିତାଇ ଦେଲିଣି। ଏବେ ଆରାମ ନେବାକୁ ଚାହିଁଛି।’
ସୂଚନାଯୋଗ୍ୟ, ୨୦୧୬ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁ ଏଥର ଫାଇନାଲ୍କୁ ଯାଇପାରି ନଥିଲେ। ତେବେ ଗତକାଲି ସେ ଚୀନ୍ର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୫ ଗେମ୍ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ସହିତ କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ହୋଇଛନ୍ତି ଭାରତର ପ୍ରଥମ ମହିଳା।
The post ସିନ୍ଧୁଙ୍କ ଦୁଇ ପଦ କଥା ଶୁଣି କାନ୍ଦି ପକାଇଲେ ରୌପ୍ୟ ପଦକ ବିଜେତା ତାଇ ଜୁ ୟିଙ୍ଗ୍ appeared first on Odisha Reporter.
from Odisha Reporter https://ift.tt/3floL7b
No comments:
Post a Comment