ପାରଳାଖେମୁଣ୍ଡି(ଆଦର୍ଶ ଦାସ): ମାସେ ପୂର୍ବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରି ଦେଇଥିବା ପାରଳାଖେମୁଣ୍ଡିର ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଏବେ ବି ପୁଲିସ୍ ପାଇଁ ଏକ ଅସମାହିତ ପ୍ରଶ୍ନ। ଏହା ପ୍ରକୃତରେ ଘଟଣା ନା ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା ତାହା ଉପରୁ ମାସେ ପରେ ବି ପରଦା ହଟିପାରୁନି।
ଘଟଣାର ତଦନ୍ତ କରିବାକୁ ପାରଳାଖେମୁଣ୍ଡି ପୁଲିସ୍ ବାଲେଶ୍ୱରରୁ କପ୍ତିପଦା ତ ପୁଣି କେତେବେଳେ କପ୍ତିପଦାରୁ ଯାଇ ବଲାଙ୍ଗିରରୁ ଫେରିଲାଣି। ତଥାପି ହାତ ଖାଲି। ବନ୍ଦ କୋଠରୀ ଭିତରେ କେବଳ ପତିପତ୍ନୀ ଥିବା ବେଳେ ହଠାତ୍ ଜଣେ ୩୧ ବର୍ଷର ଯୁବକ କିପରି ୯୦ ପ୍ରତିଶତ ପୋଡ଼ିଗଲା, ସେହି ଅସମାହିତ ପ୍ରଶ୍ନ ଏବେ ବି ସୌମ୍ୟଙ୍କ ପରିବାର ଲୋକଙ୍କ ମନକୁ ଘାଣ୍ଟୁଛି। ପୁଅ ଆଉ ଫେରିବନି ସତ, ହେଲେ ପୁଅ କିପରି ମଲା ତାହା ଜାଣିବାକୁ ଅନାଇ ବସିଥିବା ବୁଢ଼ା ବାପାମା’ ନ୍ୟାୟ ନ ପାଇଲେ ଶେଷରେ ଆତ୍ମହୁତି ଧମକ ବି ଦେଇ ସାରିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ । ରାତି ପ୍ରାୟ ୯ଟା ବେଳେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ନିଜର ସରକାରୀ ବାସଭବନରେ ଥିବା ବେଳେ ନିଆଁ ଲାଗି ୯୦ ଭାଗ ପୋଡିଯାଇଥିଲେ । ସେତେବେଳେ ଉକ୍ତ କ୍ୱାଟର୍ସରେ ତାଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଥିଲେ। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁକୁ ଆଜିକୁ ମାସେ ପୁରିଛି । ହେଲେ ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଘନ ଘନ ତଦନ୍ତ ସତ୍ତ୍ୱେ ପୁଲିସ୍ କୌଣସି ନିଷ୍କର୍ସରେ ପହଁଚିପାରିନି । ଏଭଳି ସ୍ଥିତିରେ ପୁଲିସ୍ର ତଦନ୍ତକୁ ନେଇ ପ୍ରଶ୍ମ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ।
ସୌମ୍ୟକୁ ଯଦି ହତ୍ୟା କରାଯାଇଛି ତେବେ ଅଭିଯୁକ୍ତ କିଏ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତେବେ ତା’ପଛର କାରଣ କଣ? ମୃତ୍ୟୁକୁ ମାସେ ପୁରିଥିବା ବେଳେ ଏଭଳି ପୁଳା ପୁଳା ପ୍ରଶ୍ନର ଉତ୍ତର ଏବେ ବି ଖୋଜିପାରିନି ପୁଲିସ । ସୌମ୍ୟଙ୍କ ଡେଥ୍ ମିଷ୍ଟ୍ରି ଏବେ ବି ମିଷ୍ଟ୍ରି ହୋଇ ରହିଛି । ଘନ ଘନ ତଦନ୍ତ ଏବଂ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ବି ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ । ଏପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ସୌମ୍ୟଙ୍କ ପରିବାର ।
ଏନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି, ମାସେ ହେଲାଣି ପୁଅ ଆର ପାରିକୁ ଗଲାଣି। ପୁଲିସ୍ କଣ ତଦନ୍ତ କରୁଛି କିଛି ଜାଣିପାରୁନି। ସବୁ ପ୍ରତିଶ୍ରୁତି ଦେଲେ ହେଲେ କେହି ନ୍ୟାୟ ଦେଉ ନାହାନ୍ତି।ମାସେ ହେଲା ପୁଅ ହତ୍ୟାକାରୀ ଧରା ପଡ଼ିବ ଆଶାରେ ଅନାଇ ବସିଥିବା ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଶେଷରେ ଆତ୍ମାହୁତି ଦେବୁ ବୋଲି ଚେତାବନୀ ମଧ୍ୟ ଦେଇ ସାରିଛନ୍ତି।
ଏହି ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ର, ରୋଷେୟା ମନ୍ମଥ କୁମ୍ଭ ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପୁଲିସ୍ କ୍ଲିନ୍ଚିଟ୍ ଦେଇ ସାରିଲାଣି। ହେଲେ ବିଦ୍ୟାଭାରତୀଙ୍କୁ ୨ ଥର ପଚରାଉଚରା ପରେ ବି ପୁଲିସ୍ କାହିଁକି ତାଙ୍କୁ ନିଜ ହେପାଜତକୁ ନେଉ ନାହାନ୍ତି ତାହା ବୁଝାପଡ଼ୁନି ବୋଲି କହିଛନ୍ତି ସୌମ୍ୟଙ୍କର ଭାଇ ରଞ୍ଜନ କୁମାର ମହାପାତ୍ର।
ସୂଚନା ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ପୁଲିସ୍ ମାସେ ହେଲାଣି ମାମଲା ରୁଜୁ କରି ତଦନ୍ତ ପରେ ତଦନ୍ତ ଜାରି ରଖିଛି । ପାରଳାଖେମୁଣ୍ଡିରୁ ବାରିପଦା ଯାଏଁ ଘଣ୍ଟା ଚକଟା ସରିଲାଣି । ସ୍କାନରରେ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରାଯାଇଛି । ତଥାପି ଏବେବି ଅନ୍ଧାରରେ ରହିଛି ସୌମ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ । ଫଳରେ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ।
ଏ ସମ୍ପର୍କରେ ପାରଳାଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ପୁଲିସ୍ ଘଣ୍ଟ ଘୋଡ଼ାଇ ରଖିଛି। ଦୁଇ ଦୁଇ ଥର ବିଦ୍ୟାଙ୍କ ଗାଁକୁ ଯାଇ ବି ଗିରଫ କରୁନି। ସଂଗ୍ରାମ କେଶରୀଙ୍କ ନାଁ ଥିବା ବେଳେ ତାଙ୍କୁ ଥାନାକୁ ଡାକି ପଚରା ଯାଉନି। ବରଂ ତାଙ୍କ ଅଫିସରେ ପଚରା ଯାଇଛି।
ଗଜପତି ଏସପି, ଇନଚାର୍ଜ ବାମଦେବ ସିଂ କହିଛନ୍ତି ଟେକନିକାଲ ଟିମ୍ ଘଟଣାର ତଦନ୍ତ କରୁଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
The post ମାସେ ବିତିଲା, ଚକ୍କର କାଟି କାଟି ପୁଲିସ୍ ହାତ ଖାଲି appeared first on Odisha Reporter.
from Odisha Reporter https://ift.tt/2Xabb0f
No comments:
Post a Comment