ହାଇଦ୍ରାବାଦ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ପାଖରେ ଟଙ୍କା ନଥିବାରୁ ସେ ତାଙ୍କ ଜେଜେବାପାଙ୍କ ମୃତ୍ୟୁ ପରେ ବି ଶବ ସତ୍କାର କରି ପାରି ନଥିଲେ। ଟଙ୍କା ଯୋଗାଡ଼ ହେବା ଯାଏ ଶବକୁ ସଂରକ୍ଷିତ କରି ରଖିବା ପାଇଁ ଯୁବକ ଜଣଙ୍କ ଏହାକୁ ଫ୍ରିଜ୍ରେ ରଖିବାକୁ ବାଧ୍ୟ ହୋଇଥିଲେ। ମୃତ୍ୟୁର ୩ ଦିନ ପରେ ୯୩ ବର୍ଷୀୟ ବୃଦ୍ଧଙ୍କ ଶବକୁ ଫ୍ରିଜ୍ରୁ ଉଦ୍ଧାର କରାଯାଇଛି। ତେଲେଙ୍ଗାନାରେ ଘଟିଥିବା ଏପରି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଅନୁସାରେ, ୱାରଙ୍ଗଲର ପାରକାଲାରେ ନିଖିଲ ନାମକ ଜଣେ ଯୁବକ ତାଙ୍କ ଜେଜେଙ୍କ ସହ ଭଡ଼ା ଘରେ ରହୁଥିଲେ। ଜେଜେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ପେନସନ ଟଙ୍କା ଯାହା ମିଳୁଥିଲା ଏଥିରେ ଉଭୟ ଚଳୁଥିଲେ। ତେବେ କିଛି ଦିନ ତଳେ ଜେଜେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।
ନିଖିଲ ଉକ୍ତ ଘରେ ହିଁ ତାଙ୍କର ଚିକିତ୍ସା କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ନିଖିଲ କେମିତି ଅନ୍ତିମ ସଂସ୍କାର କରିବେ, ସେକଥା ଚିନ୍ତା କରିଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଜେଜେଙ୍କ ଶବକୁ ବେଡ୍ ଶିଟ୍ରେ ଗୁଡ଼ାଇ ଘରେ ଥିବା ଫ୍ରିଜ୍ରେ ରଖି ଦେଇଥିଲେ।
ଏହାଦ୍ୱାରା ଶବ ଆଉ ପଚିବ ନାହିଁ ବୋଲି ସେ ଆଶା କରିଥିଲେ। କିନ୍ତୁ ୩ ଦିନ ପରେ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରି ଥିଲା। ପଡ଼ୋଶୀ ଏହାକୁ ଜାଣିବା ପରେ ନିଖିଲଙ୍କୁ ପଚାରି ଥିଲେ। ହେଲେ ନିଖିଲ କୌଣସି ଉତ୍ତର ଦେଇ ନଥିଲେ। ଶେଷରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଫ୍ରିଜ୍ ମଧ୍ୟରୁ ୯୩ ବର୍ଷୀୟ ବୃଦ୍ଧଙ୍କ ଶବକୁ ଜବତ କରିଥିଲା। ନିଖିଲ ଟଙ୍କା ନଥିବାରୁ ଶବକୁ ଫ୍ରିଜ ମଧ୍ୟରେ ରଖିଥିବା କହିଥିଲେ ହେଁ ପୁଲିସ୍ ଏହା ପଛରେ ଆଉ କିଛି କାରଣ ରହିଛି କି ନାଁ, ତା’ର ଯାଞ୍ଚ କରୁଛି। ଜେଜେ ମରିଯାଇଥିବା ଖବର ପ୍ରଚାର ହେଲେ, ସମ୍ଭବତଃ ସେ ପାଉଥିବା ପେନସନ ବନ୍ଦ ହୋଇଯିବ ବୋଲି ଭାବି ଏହାକୁ ନିଖିଲ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଗୋଟିଏ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post ଅନ୍ତିମ ସଂସ୍କାର ପାଇଁ ଟଙ୍କା ନଥିଲା, ମୃତ୍ୟୁ ପରେ ଜେଜେଙ୍କ ଶବକୁ ଫ୍ରିଜରେ ରଖିଥିଲେ ନାତି appeared first on Odisha Reporter.
from Odisha Reporter https://ift.tt/3AAznrd
No comments:
Post a Comment