ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ରହିଛି। ହାତରେ ସମୟ ଥାଉ ଥାଉ କେନ୍ଦ୍ରରେ ଶାସକ ଦଳ ବିଜେପିକୁ କାଉଣ୍ଟର କରିବାକୁ ଏକ ହୋଇଛନ୍ତି ବିରୋଧୀ। ଗତକାଲି କଂଗ୍ରେସ ସମେତ ୧୮ଟି ରାଜନୀତିକ ଦଳର ନେତା ଭରଚୁଆଲ ମୋଡରେ ଏକ ବୈଠକ କରିଥିଲେ। ଯେଉଁଥିରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ବିଜେପିକୁ ଘେରିବା ପାଇଁ ହେଲେ ଗୋଟିଏ କୋର ଗ୍ରୁପ ତିଆରି କରିବାକୁ ହେବ। ଲୋକତାନ୍ତ୍ରିକ ଜନତା ଦଳର ସଭାପତି ଶରଦ ଯାଦବ ଏହା କହିଛନ୍ତି।
ବୈଠକ ପରେ ଶରଦ ଯାଦବ ମିଡିଆକୁ କହିଛନ୍ତି, ସମସ୍ତ ସଂସ୍ଥା ଏବେ ଗୋଟିଏ ଦଳ ବିଜେପିକୁ ସମର୍ଥନ କରୁଛନ୍ତି। ଏହା ଚିନ୍ତାର ବିଷୟ। ତେଣୁ ବିରୋଧୀଙ୍କୁ ଏକ ହୋଇ ରହିବାକୁ ପଡ଼ିବ ବୋଲି ମମତା ବାନାର୍ଜୀ କହିଥିବା ସେ କହିଛନ୍ତି। ବିଜେପି ବିରୋଧୀ ଏକ ହୋଇ ଗୋଟିଏ କୋର ଗ୍ରୁପ କରିବାକୁ ହେବ। ଏହି କୋର ଗ୍ରୁପ ପ୍ରତି ତିନି-ଚାରି ଦିନରେ ବୈଠକ କରିବେ। ଯାହାର ନେତୃତ୍ୱ ସୋନିଆ ଗାନ୍ଧୀ ନହେଲେ ରାହୁଲ ଗାନ୍ଧୀ ନେବା ଉଚିତ।
ସେ କହିଛନ୍ତି, କଂଗ୍ରେସ ହେଉଛି ସବୁଠାରୁ ବଡ ବିରୋଧୀ ଦଳ। ତେଣୁ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ କୋର ଗ୍ରୁପର ନେତୃତ୍ୱ ନେବା ଦରକାର ବୋଲି ମମତା ବୈଠକରେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ଏବଂ ଅନ୍ୟ ୧୮ଟି ରାଜନୀତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ଜୋରଦାର କରାଯିବ ବୋଲି ସେ କହିଥିଲେ।
ଏଥିସହ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ପେଗାସସ୍ ମାମଲାର ଯାଞ୍ଚ, କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା, ଆୟକର ଦେଉନଥିବା ବ୍ୟକ୍ତିଙ୍କ ପରିବାରକୁ ମାସକୁ ୭,୫୦୦ ଟଙ୍କା ଦେବା, ତିନି କୃଷି ନିୟମ ରଦ୍ଦ କରିବା ଏବଂ ଚାଷୀଙ୍କୁ ଏମଏସପି ବାଧ୍ୟତାମୂଳକ ଗ୍ୟାରେଣ୍ଟି ଦେବାକୁ ବୈଠକରେ ଦାବି ହୋଇଛି। ଏହାପରେ ସମସ୍ତ ରାଜନୀତିକ ଦଳ ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ସେପ୍ଟେମ୍ବର ୨୦ ରୁ ୩୦ ମଧ୍ୟରେ ଏହି ସମସ୍ତ ଦଳ ଏକାଠି ହୋଇ କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବେ। ଏଥିସହ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ପ୍ରତ୍ୟାହାର କରିବା ସହିତ ସରକାରଙ୍କ ଘରୋଇ କରଣ ପ୍ରତ୍ୟାହାରକୁ ବିରୋଧ କରିଛନ୍ତି ବିରୋଧୀ।
The post ବିଜେପିକୁ ଘେରିବାକୁ ଦିଦି ଦେଲେ ମନ୍ତ୍ର appeared first on Odisha Reporter.
from Odisha Reporter https://ift.tt/3sBbdtQ
No comments:
Post a Comment