ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର

 ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। 

 ସୂଚନାଯୋଗ୍ୟ,  ଟେଣ୍ଡର ଅନିୟମିତତାରେ ପୂର୍ବତନ  ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।  ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇ ତାହାକୁ ବଦଳାଇଥିବା ଅଭିଯୋଗ ହୋଇଥିଲା।   ଏପରିକି କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପ୍ରଦୀପ ମାଝୀ। ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି ।

ପ୍ରାୟ ୬ ମାସ ପରେ ସମସ୍ତ ୪୮ ଖଣିର ଟେଣ୍ଡର ବାତିଲ କରାଯିବା ପରେ ଏହା ପଛରେ ଥିବା ସାଂଘାତିକ ଚଞ୍ଚକତା ପଦାରେ ପଡ଼ିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।  

ଖଣି ଟେଣ୍ଡର ଫିକ୍ସି ନେଇ ଗତ ମାର୍ଚ୍ଚରେ ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝି ବହୁ ସାଂଘାତିକ ତଥ୍ୟ ସାମନାକୁ ଆଣିଥିଲେ। ପ୍ରଦୀପଙ୍କ କହିବାନୁଯାୟୀ, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ।

ପ୍ରଦୀପ ଆହୁରି କହିଥିଲେ, ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଥିଲେ, ସେଥିରେ ଏପଟସେପଟ ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିଲେ ମଧ୍ୟ ଏହାର ବାସ୍ତବ ମୂଲ୍ୟ ତା’ଠୁ ଯଥେଷ୍ଟ କମ୍। ସେହିଭଳି ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା ହେଲା କିପରି ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ସଂପୃକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ପିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଥିଲେ ପ୍ରଦୀପ।

ହେଲେ ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିବା କହିଥିଲେ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ। ଏଥିସହ ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜି ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି। ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଥିଲେ।

ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ।  ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସତ୍ୟତା ପଦାକୁ ଆସିଛି  । ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

The post ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର appeared first on Odisha Reporter.



from Odisha Reporter https://ift.tt/3kmhTIq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages