ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଲକ୍ଷ ଟଙ୍କା ପାଇବା ଲୋଭରେ ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୁଲିସ୍। ଗିରଫଙ୍କ ମଧ୍ୟରେ ଜଣେ ୱେବ ଚ୍ୟାନେଲ ସାମ୍ବାଦିକା ଥିବା ବେଳେ ଅନ୍ୟମାନେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ୍ ଖୋଜାଖୋଜି ଜୋରଦାର କରିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଇନ୍ସ ବ୍ୟବସାୟ ସହ ଜଡ଼ିତ ଜଣେ ଯୁବକ ଓ କେନ୍ଦ୍ରାପଡ଼ାରେ ରହୁଥିବା ତାଙ୍କର ଜଣେ ସହଯୋଗୀଙ୍କୁ ଗତ ୫ ତାରିଖରେ ଭୁବନେଶ୍ୱରକୁ କେହି ଫୋନ କରି ଡାକିଥିଲେ । ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରଠାରେ ଥିବା ଏକ ୱେବ ଚ୍ୟାନେଲ କାର୍ଯ୍ୟାଳୟକୁ ଉଭୟଙ୍କୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଥିଲା। ମାତ୍ର ଉଭୟ ଯୁବକ ମନା କରିବାରୁ ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଉଭୟଙ୍କୁ ନିର୍ଘାତ ମାଡ଼ ମରାଯାଇଥିବା ବେଳେ ସିଗାରେଟ ଚେଙ୍କ ମଧ୍ୟ ଦିଆଯାଇଛି। ସେମାନଙ୍କ ଶରୀରରେ ବିଭିନ୍ନ ଦାଗ ଚିହ୍ନ ରହିଛି ।
ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକ ଯୋଗାଯୋଗ କରିପାରୁ ନ ଥିଲେ। ୨ ଦିନ ପରେ ଉଭୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଅପହରଣ ବିଷୟରେ କୁହାଯିବା ସହ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମାତ୍ର ୫୦ ହଜାରର ଟଙ୍କାରେ କଥା ଛିଣ୍ଡିଥିଲା। ଏହାପରେ ୫୦ ହଜାର ପାଇବା ପରେ ଉଭୟଙ୍କୁ ଛଡ଼ା ଯାଇଥିଲା।
ଏନେଇ ଉଭୟଙ୍କ ପରିବାର ଲୋକ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଜଣେ ୱେବ ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି।
The post ୫ ଲକ୍ଷ ପାଇଁ ବ୍ୟବସାୟୀଙ୍କୁ ଥାର୍ଡ ଡିଗ୍ରୀ, ୱେବ ସାମ୍ବାଦିକା ସମେତ ୪ ଗିରଫ appeared first on Odisha Reporter.
from Odisha Reporter https://ift.tt/3yoOpP6
No comments:
Post a Comment