ଗୌହାଟୀ: ବିଧାୟକ ଥିବା ବେଳେ କରିଥିବା କୁକର୍ମ ପାଇଁ ଜଣେ ରାଜନେତାଙ୍କୁ ଶେଷରେ ୨୫ ବର୍ଷ ଜେଲଦଣ୍ଡ ମିଳିଛି। ସ୍ୱାଧୀନ ଭାବେ ମେଘାଳୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜୁଲିୟସ ଡୋରଫାଙ୍ଗଙ୍କୁ ସ୍ୱତନ୍ତ୍ର ଅଦାଲତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ୨୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ସେ ବିଧାୟକ ଥିବା ବେଳେ ୨୦୧୭ରେ ଏପରି କାଣ୍ଡ ଭିଆଇଥିଲେ। ମେଘାଳୟର ରି-ଭୋଇରେ ଥିବା ପକ୍ସୋ ଆକ୍ଟ ଅଧୀନରେ ଆସୁଥିବା ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଏଫଏସ୍ ସାଙ୍ଗମା ପୂରା ଘଟଣାର ଶୁଣାଣି କରି ଏପରି ଦଣ୍ଡାଦେଶ ଦେଇଛନ୍ତି। ତେବେ ଜୁଲିୟସଙ୍କ ଓକିଲ ଏହି ରାୟକୁ ମେଘାଳୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି।
ବିଦ୍ରୋହୀ ଗୋଷ୍ଠୀ Hynniewtrep National Liberation Council ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜୁଲିୟସ ୨୦୦୭ରେ ପ୍ରଥମେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ସେ ମୁଖସ୍ରୋତରେ ସାମିଲ ହୋଇ ୨୦୧୩ରେ ସ୍ୱାଧୀନ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରି-ଭୋଇ ଜିଲ୍ଲାର ମାୱହାଟି ନିର୍ବାଚନ ମଣ୍ଡଳୀରୁ ସେ ବିଜୟୀ ହୋଇଥିଲେ।
ତେବେ ୨୦୧୭ରେ ସେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା କରିବାରୁ ଜୁଲିୟସ ଫେରାର ହୋଇଯାଇଥିଲେ। କିଛି ଦିନର ଲୁଚକାଳୀ ଖେଳ ପରେ ଆସାମର ଗୌହାଟୀରେ ଥିବା ଅନ୍ତଃରାଜ୍ୟ ବସ୍ ଟର୍ମିନାଲରୁ ତାଙ୍କୁ ପୁଲିସ୍ ଗିରଫ କରିବାକୁ ସକ୍ଷମ ହୋଇଥିଲା।
ଏହାପରେ ତାଙ୍କୁ ନୋଙ୍ଗୋପ ସ୍ଥିତ ଜେଲରେ ରଖାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ୨୦୨୦ ମସିହାରେ ମେଘାଳୟ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ତାଙ୍କୁ ଜାମିନ ଦେଇଥିଲେ। ସେବେଠାରୁ ସେ ଜାମିନରେ ରହିଛନ୍ତି।
The post ବିଧାୟକ ଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରିଥିଲେ, ଏବେ ୨୫ ବର୍ଷ ଜେଲଦଣ୍ଡ ମିଳିଲା appeared first on Odisha Reporter.
from Odisha Reporter https://ift.tt/38aHqi7
No comments:
Post a Comment