ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନୀରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର ଜୋହାନେସ ଭିଟର ଅଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୯୬ ରହିଛି। ୩ ନଂରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ, ୪ର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍ ଓ ଜର୍ମାନୀର ଜୁଲିଆନ ୱେବର ରହିଛନ୍ତି।
ଚଳିତ ଅଲିମ୍ପିକ୍ସରେ ଭିଟର ହିଁ ନୀରଜଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିଲା। ହେଲେ ଫାଇନାଲରେ ସେ ନୀରଜଙ୍କ ଥ୍ରୋର ଆଖପାଖ ମଧ୍ୟ ମାଡ଼ି ପାରି ନଥିଲେ। ନୀରଜ ପ୍ରଥମ ପ୍ରାୟସରେ ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ିଥିବା ବେଳେ ଭିଟର କେବଳ ସର୍ବାଧିକ ୮୨.୫୨ ମିଟର ସ୍କୋର କରିପାରି ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଭିଟର ଟପ୍ ୮ ମଧ୍ୟରେ ବି ରହିପାରି ନଥିଲେ। ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ।
ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ଏହା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶେଷଥର ପାଇଁ ୨୦୧୨ରେ ସର୍ବାଧିକ ୬ଟି ପଦକ ଜିତିଥିଲା।
ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କ ପାଇଁ ଭାରତରେ ପୁରସ୍କାର ଘୋଷଣା କରାଯିବାରେ ଲାଗିଛି। ତାଙ୍କ ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ପଞ୍ଚକୁଲାରେ ଥିବା ଆଥଲେଟିକ୍ସର ସେଣ୍ଟର୍ ଫର୍ ଏକ୍ସଲେନ୍ସିର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।
ସେହିପରି ନୀରଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୨ କୋଟି, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି, ଚେନ୍ନାଇ ସୁପର୍ କିଙ୍ଗସ୍ ୧ କୋଟି ଟଙ୍କା ସହ ୮୭୫୮ (ଅଲିମ୍ପିକ୍ସରେ ନୀରଜ କରିଥିବା ଜାଭେଲିନ୍ ଥ୍ରୋ’ର ଦୂରତା) ନମ୍ବରର ଜର୍ସି ପ୍ରଦାନ କରିବେ।
ଏହାଛଡ଼ା ଇଣ୍ଡିଆନ୍ସ ଏୟାରଲାଇନ୍ସ ନୀରଜଙ୍କୁ ବର୍ଷକ ଯାଏ ମାଗଣାରେ ଯାତ୍ରା କରାଇବା ସହ ଗୁରୁଗ୍ରାମରେ ଥିବା ଏଲାନ୍ ଗ୍ରୁପ୍ ୨୫ ଲକ୍ଷ ଏବଂ ବାଇଜୁସ୍ ୨ କୋଟି ଟଙ୍କା ପ୍ରଦାନ କରିବ।
The post ସୁନା ପୁଅ ନୀରଜଙ୍କୁ ଆଉ ଏକ ସଫଳତା: ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟରେ ପହଞ୍ଚିଲେ appeared first on Odisha Reporter.
from Odisha Reporter https://ift.tt/3ABsYfu
No comments:
Post a Comment