କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରକ୍ତ ଦେବୁ ପଛେ, ପ୍ରକଳ୍ପ କରାଇ ଦେବୁନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରକଳ୍ପକୁ ବିରୋଧ କରି ଆଜିଠାରୁ ମହାସଂଗ୍ରାମ କରାଯିବ । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରାଜକନିକା ଠାରେ କର୍ମକର୍ତ୍ତା ମାନଙ୍କୁ ନେଇ ଗତକାଲି ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ଆଳି ଓ ରାଜକନିକା ଅଂଚଳର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାଯର୍ୟ ବନ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଉଛି। ହେଲେ ନଛୋଡ଼ବନ୍ଧା ପ୍ରଶାସନ ବି ପ୍ରକଳ୍ପ ନିର୍ମାଣ ଲାଗି ପ୍ରସ୍ତୁତ କରି ସାରିଛି ଆକ୍ସନ ପ୍ଲାନ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ପକ୍ଷରୁ ୨ ମାସ ପାଇଁ ଲଗାଯାଇଛି ୧୪୪ ଧାରା। ପ୍ରକଳ୍ପକୁ ଲାଗିରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଆଦି ତିନୋଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ।
କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ଘୋର ପ୍ରଭାବ ପଡ଼ିବ ବୋଲି କୁହାଯାଇ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍ ମାରିଛି।
କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ଚେତାବନୀ ଦେଇଛି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟରେଜ ନିର୍ମାଣ କରି ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । ସମିତିର ବିରୋଧ ପରେ ଆଳି, ରାଜକନିକା ପାଇଁ ଆଉ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି।
The post ରକ୍ତ ଦେବୁ ପଛେ, ପ୍ରକଳ୍ପ କରାଇ ଦେବୁନି appeared first on Odisha Reporter.
from Odisha Reporter https://ift.tt/2VO2V5D
No comments:
Post a Comment