ୱାଶିଂଟନ: ହଜାର ହଜାର ଲୋକ କାବୁଲ ଏୟାରପୋର୍ଟ ନିକଟରେ ରୁଣ୍ଡ ହୋଇଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏହି ବିସ୍ଫୋରଣ ପାଇଁ ସାରା ବିଶ୍ୱ କେଉଁଠି ନା କେଉଁଠି ଆମେରିକାର ଭୁଲ ରଣନୀତିକୁ ଦାୟୀ କରିଛନ୍ତି। ଆମେରିକା ବିନା କୌଣସି ଯୋଜନାରେ ଆଫଗାନରୁ ସେନା ପ୍ରତ୍ୟାହାର କରି ନେବାକୁ ଏସବୁ ଘଟଣା ଘଟିଛି ବୋଲି କୁହାଯାଉଛି।
ଗୁରୁବାର ବିସ୍ଫୋରଣରେ ଖୋଦ ଆମେରିକାର ୧୩ ଜଣ ସେନା ଯବାନ ପ୍ରାଣ ହରାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ସିରିଜ ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଣ୍ଟ୍ରୋଲ ରୁମରେ ବସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେ ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।
ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଆମେରିକା ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବ ଓ ସେମାନଙ୍କୁ ବିସ୍ଫୋରଣ ପାଇଁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବାଇଡେନ କହିଛନ୍ତି।
ବାଇଡେନ ଆକ୍ରମଣ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି, “ଯେଉଁମାନେ ଏପରି ଆକ୍ରମଣ କରିଛନ୍ତି ଓ ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଆମେ କେବେ ହେଲେ କ୍ଷମା କରିବୁ ନାହିଁ। ଆମେ କେବେ ହେଲେ ଭୁଲିବୁ ନାହିଁ। ଆମେ ତୁମ ମାନଙ୍କୁ ଖୋଜିଖୋଜି ବାହାର କରିବୁ। ବିସ୍ଫୋରଣ ପାଇଁ ତୁମମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ।”
ବାଇଡେନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଆମେରିକା କର୍ମଚାରୀ ଓ ଯବାନମାନଙ୍କୁ ହିରୋ ଭାବେ ଅବିହିତ କରିଛନ୍ତି। ଏହାବାଦ ଆଗକୁ ମଧ୍ୟ କାବୁଲରେ ଆମେରିକା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମେ କେବେ ହେଲେ ଆତଙ୍କବାଦୀଙ୍କ ଧମକ ଓ କାର୍ଯ୍ୟକଳାପକୁ ଭୃକ୍ଷେପ କରିବୁ ନାହିଁ। ଆମେ କେବେ ହେଲେ ସେମାନଙ୍କୁ ଆମ ମିଶନକୁ ଅଟକାଇବାରେ ସଫଳ ହେବାକୁ ଦେବୁନି। ଆମେ ପୂର୍ବଭଳି ଉଦ୍ଧାର କାର୍ଯ୍ୟ ଜାରି ରଖିବୁ। ଅଗଷ୍ଟ ୩୧ରେ ସେନା ପ୍ରତ୍ୟାହାର କରିବାକୁ ଯୋଜନା ହୋଇଛି। କିନ୍ତୁ ଦରକାର ପଡ଼ିଲା ଏହାପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ।”
ଆକ୍ରମଣ ପାଇଁ ଆଇଏସ ନିଜକୁ ଦାୟୀ କରିଥିବା ବେଳେ ଏହା ପଛରେ ତାଲିବାନର ଭୂମିକା ରହିଥିବା କଥା ମଧ୍ୟ କୁହାଯାଉଛି। ହେଲେ ବାଇଡେନ ତାଲିବାନକୁ କ୍ଲିନଚିଟ୍ ଦେଇଛନ୍ତି। ସେ କହିଛନ୍ତି, ବିସ୍ଫୋରଣ ପଛରେ ଆଇଏସ୍ର ହାତ ରହିଛି। ତାଲିବାନ ଓ ଆଇଏସ୍ ମିଳିତ ଭାବେ କାବୁଲ ଏୟାରପୋର୍ଟ ନିକଟରେ ବିସ୍ଫୋରଣ କରିଥିବା କୌଣସି ପ୍ରମାଣ ମିଳିନାହିଁ। ସେଠାରେ ଥିବା ଆମ କମାଣ୍ଡରମାନେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ପାଇ ନଥିବା ସେ କହିଛନ୍ତି।
କେବଳ ଆମେରିକା ନୁହେଁ, ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଅନେକ ରାଷ୍ଟ୍ର ବିସ୍ଫୋରଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ପଣ କରିଛନ୍ତି।
The post କାବୁଲ ବିସ୍ଫୋରଣ ପରେ ବାଇଡେନଙ୍କ ଯୁଦ୍ଧ ଡାକରା appeared first on Odisha Reporter.
from Odisha Reporter https://ift.tt/3ksAzq4
No comments:
Post a Comment