କୋରାପୁଟ ( ସୂର୍ଯ୍ୟନାରାୟଣ ପଣ୍ଡା): ଯେତେ ଯାହା କଲେ ବି କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର। କେବଳ ସେତିକି ନୁହେଁ ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି। ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି।
ଗଲା ୩ ଦିନ ହେଲା ପାର୍ବତୀପୂରମ ଆଇଟିଡିଏ, ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି, ଗଂଜେଇପଦର ଗାଁକୁ ଯାଇ ଆନ୍ଧ୍ର ଅଧିକାରୀ ଚାରା ବଣ୍ଟନ କରିଛନ୍ତି। ଅପରପକ୍ଷେ ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଈ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି।
୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଈଙ୍କୁ ଟିକାକରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୪ ତାରିଖ ଯାଏଁ ଏଭଳି ଚିକିତ୍ସା ସେବା ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ୪୬ ଜଣ ଚାଷୀ ଏବଂ ଗ୍ରାମବାସୀଙ୍କୁ ସାଲୁର ମଣ୍ଡଳ ଡାକ୍ତରଙ୍କ ଦ୍ୱାରା ଆନିମଲ୍ ହେଲ୍ଥ କାର୍ଡ ଦିଆଯାଇଛି। ଆନ୍ଧ୍ର ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ କୋରାପୁଟ ବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ବିରୋଧ କରିଛି। ଏଥିସହ କୋରାପୁଟ ପୁଲିସ ଓ ପ୍ରଶାସନ ଦୃଡ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସେପଟେ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସିପିଏମ୍ ନେତା, ଆଦିବାସୀ ସମ୍ପ୍ରଦାୟର ନେତା ଏ. କୋଟାୟା କୋଟିଆ ପଂଚାୟତର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି। କୋଟିଆ ଅଂଚଳର ସାମଗ୍ରିକ ବିକାଶ ଲାଗି ସେ ନିଜର ମତ ରଖିଥିଲେ। ଅନ୍ୟପଟେ ସାଲୁର ବିଧାୟକ ରାଜନ ଦୋରା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କୋଟିଆ ସମ୍ପର୍କରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଉଦ୍ୟମ କରୁଥିବା ସେ ସୂଚନା ଦେଇଛନ୍ତି।
The post କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର appeared first on Odisha Reporter.
from Odisha Reporter https://ift.tt/38l1SNf
No comments:
Post a Comment