୫୦୦ କୋଟିର ପ୍ରକଳ୍ପରୁ ପାଣି ମୁନ୍ଦେ ବାହାରୁନି, ୩ ବର୍ଷ ତଳେ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

୫୦୦ କୋଟିର ପ୍ରକଳ୍ପରୁ ପାଣି ମୁନ୍ଦେ ବାହାରୁନି, ୩ ବର୍ଷ ତଳେ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ

ଆସିକା(ମନୋଜ ମୁନୀ):ପଞ୍ଚାୟତରେ ପ୍ରତିଷ୍ଠା ହୋଇଛି ୫୦୦ କୋଟିର ବ୍ୟୟବହୁଳ ଜଳ ପ୍ରକଳ୍ପ l ଖୋଦ ମୁଖ୍ୟମନ୍ତ୍ରୀ ୩ ବର୍ଷ ତଳୁ ଏହାର ଶୁଭ ଉଦ୍‌ଘାଟନ ବି କରି ସାରିଛନ୍ତି। ଏହି ପ୍ରକଳ୍ପ ହେବା ପରେ ଦୁଃଖ ଦୂର ହେବ ବୋଲି ଭାବିଥିଲେ ଚାଷୀ। କିନ୍ତୁ ସବୁ ଆକଳନ ଭୁଲ୍‌ ପ୍ରମାଣିତ ହେଲା। ୫ଶହ କୋଟିର ପ୍ରୋଜେକ୍ଟରୁ ପାଣି ମୁନ୍ଦେ ବି ବାହାରୁନି । ତେଣେ ତଳି ପୋଡ଼ି ଜମି ଆଁ କଲାଣି।  ଏପରି ଅଭାବନୀୟ ସ୍ଥିତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ପଂଚାୟତରେ ଦେଖିବାକୁ ମିଳିଛି । ଖୁବ୍‌ ଶୀଘ୍ର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ନ ହେଲେ ଏହାକୁ ଅଚଳ କରି ଦିଆଯିବ ବୋଲି ଧମକ ଦେଇଛନ୍ତି ଚାଷୀ।

ତିନିରୁ ଉର୍ଦ୍ଧ ପଂଚାୟତର ୭୮୦ ହେକ୍ଟର ଜମିକୁ ଜଳ ଯୋଗାଇବା ଲକ୍ଷ୍ୟରେ ସିଙ୍ଗିପୁର ପଂଚାୟତରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରା ଯାଇଥିଲା l ଓଡିଶା ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ କାମ ୩ ବର୍ଷ ପୂର୍ବେ ଶେଷ ହୋଇଥିଲା। ଏହି ପ୍ରକଳ୍ପ ହେବା ପରେ  ଚାଷୀମାନେ ମଧ୍ୟ ବେଶ ଖୁସି ହୋଇଥିଲେ l  ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବର୍ଷସାରା ତାଙ୍କ ଜମିରେ ଫସଲ ଅମଳ ହେବ ବୋଲି ଭାବିଥିଲେ l କିନ୍ତୁ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲାl

ଖୋଦ ମୁଖ୍ୟମନ୍ତ୍ରୀ ନାବୀନ ପଟ୍ଟନାୟକ  ଭିଡ଼ିଓ କନଫେରେନ୍ସ ଜରିଆରେ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ପ୍ରକଳ୍ପ ଉଦଘାଟନ ହେବାର ୩  ବର୍ଷ ପରେ ବି ତାହା କାମରେ ଲାଗିପାରୁନି । ଚାଷୀଙ୍କ କ୍ଷୋଭ  ଏବେ ଆନ୍ଦୋଳନ ରୂପ ନେଉଛି ।

ବିକ୍ଷୋଭ କରିବାକୁ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଥିବା ଚାଷୀ।

ଏନେଇ ସ୍ଥାନୀୟ ଚାଷୀ ଶନିଶ୍ଚର ମୁନୀ କହିଛନ୍ତି, ୫୦୦ କୋଟିର ପ୍ରୋଜେକ୍ଟ କଲେ। ହେଲେ ଜମିବାଡ଼ିକୁ ପାଣି ଟୋପେ ବି ଯାଉନି। ଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ବର୍ଷ ମିଳିବ ବୋଲି କହୁଛନ୍ତି। ହେଲେ ଚାଷୀକୁ ପାଣି ନ ମିଳିପାରିଲେ ପ୍ରୋଜେକ୍ଟ ଥାଇ କେତେ ନ ଥାଇ କେତେ। ଆମର ଅଭାବ ସମୟକୁ ପାଣି ପାଉନୁ। ଭରସା ତୁଟିଗଲା। ତୁରନ୍ତ ପାଣି ଯୋଗାଇ ଦିଆ ନ ଗଲେ, ଆଗାମୀ ଦିନରେ ଆନ୍ଦୋଳନ କରିବୁ।

ଉଦୟନାଥ ବେହେରା ନାମକ ସ୍ଥାନୀୟ ଚାଷୀ କହିଛନ୍ତି, ଆମ ଜମିକୁ ପାଣି ଯାଉନି। ବର୍ଷା ବି ହେଉନି। ଫସଲ କିପରି କରିବୁ। ସବୁ ଜମିକୁ ପାଣି ଯୋଗାଇ ଦେବୁ ବୋଲି କହିଥିଲେ। ହେଲେ ଏବେ ଟୋପେ ବି ପାଣି ଯାଉନି।

ଚଳିତ ବର୍ଷ  ଧରାକୋଟ ବ୍ଲକର କେତୋଟି ପଂଚାୟତରେ ସ୍ୱଳ୍ପବୃଷ୍ଟି ଦେଖା ଦେଇଛି  l ସେଥିମଧ୍ୟରୁ ସିଙ୍ଗିପୁର ଅନ୍ୟତମ। କମ ବର୍ଷା ଫଳରେ ଅନେକ ଜମିରେ ତଳି ପୋଡିଗଲାଣି।  ୫୦୦ କୋଟିର ବ୍ୟୟବହୁଳ ଏହି  ପ୍ରକଳ୍ପ ଥାଇବି ଜମିକୁ ପାଣି ବୁନ୍ଦେ ଯାଉନି। ଏ ପ୍ରକଳ୍ପ ଥାଇ ନ ଥିବାସହ ସମାନ ।

ସିଙ୍ଗିପୁର ପଂଚାୟତରେ ନିର୍ମତ ଜଳ ପ୍ରକଳ୍ପ ।

ନେଇ ଧରାକୋଟ ବ୍ଲକ, ସିଙ୍ଗିପୁର ପଞ୍ଚାୟତ ସରପଞ୍ଚ ପ୍ରଫୁଲ କୁମାର ଦାସ କହିଛନ୍ତି,  ଜଳସେଚନର ଲୋଭ ଦେଖାଇ ଚାଷୀଙ୍କ ଜମିରେ ଖୋଳି , ତାଡି କାମ କଲେ। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ହେଲେ ତା’ ପରେ ଆଉ ଧରାଛୁଆଁ ଦେଉ ନାହାନ୍ତି।  ଏପଟେ ୭୮୦ ହେକ୍ଟର ଦୂରେ ଥାଉ, ଗୋଟିଏ ବି ହେକ୍ଟର ଜମିକୁ ମଧ୍ୟ ଟୋପାଏ ପାଣି  ଗଲାନି।   ଅଭିଯୋଗ କଲେ ମଧ୍ୟ କେହି ଗୁହାରି ଶୁଣୁ ନାହାନ୍ତି।

ଋଷିକୁଲ୍ୟା ନଦୀରୁ ଏହି ପ୍ରକଳ୍ପ ମାଧ୍ୟମରେ ଜମିକୁ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ହୋଇଥିଲା। ଏବେ କିନ୍ତୁ ବିଭାଗୀୟ ଅଧିକାରୀ କହୁଛନ୍ତି ପ୍ରକଳ୍ପ ରେଡି ଅଛି, କିନ୍ତୁ ନଦୀରେ ପାଣି ନ ଥିବାରୁ ଏହି ସମସ୍ୟା ଉପୁଜିଛି।  ଏଠି ବୋରିଂ ସିଷ୍ଟମ ହୋଇନାହିଁ। ଅପର ପକ୍ଷେ ଚାଷୀ କହୁଛନ୍ତି ଯଦି ନଦୀରେ ପାଣି ନାହିଁ ଋଷିକୁଲ୍ୟାରୁ ବ୍ରହ୍ମପୁର କେନାଲରେ ପାଣି ଯାଉଛି କେମିତି।  ଏହି ପ୍ରକଳ୍ପ କାହା ସ୍ୱାର୍ଥରେ ହୋଇଛି ଜଣାପଡ଼ୁନି ବୋଲି କହିଛନ୍ତି ଚାଷୀ। 

ବର୍ଷା କମ୍‌ ଯୋଗୁଁ ନଦୀରେ ପାଣି ରହୁନି l   ଏହି ପ୍ରକଳ୍ପ ପାଇଁ ଏକ ନଦୀବନ୍ଧର ଆବଶ୍ୟକ ରହିଛି l ତେଣୁ  ଜମିକୁ ଜଳ ଯୋଗାଣ ପାଇଁ ଅସୁବିଧା ରହୁଥିବା କହିଛନ୍ତି ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମ୍ୟାନେଜର ସୁଦାମ ଗୌଡ଼ ।

The post ୫୦୦ କୋଟିର ପ୍ରକଳ୍ପରୁ ପାଣି ମୁନ୍ଦେ ବାହାରୁନି, ୩ ବର୍ଷ ତଳେ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/38tIuhs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages