ପାରାଦୀପ(ରମାକାନ୍ତ ନାୟକ): ଭାଲୁକୁଣୀ ଭସାଣୀ ପାଇଁ ରବିବାର ଶ୍ୱଶୁର ଘରକୁ ଯାଇଥିବା ଜ୍ୱାଇଁଙ୍କ ମୃତଦେହ ସୋମବାର ମିଳିବା ଘଟଣାକୁ ନେଇ ଘନେଇବାରେ ଲାଗୁଛି ବିବାଦ । ଶ୍ୱଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି। ହେଲେ ପରକିୟା ପ୍ରୀତି ଯୋଗୁ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ମୃତକଙ୍କ ପରିବାର ଲୋକ କହୁଛନ୍ତି। ଏପରି ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋଡାକାନ୍ଥି ଗ୍ରାମରେ ଘଟିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ମୃତକ ହେଲେ ତିର୍ତ୍ତୋଲ ଥାନା ପୋଡ଼ାକାନ୍ଥି ଗାଁର ଚିତ୍ତରଞ୍ଜନ ଦାସ
ଚିତ୍ତରଞ୍ଜନ ପ୍ରାୟ ୧୦ ବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁର ଲକିଲୋରା ସାମନ୍ତରାୟଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ସନ୍ତାନ ଅଛି। ଭାଲୁକୁଣୀ ପୂଜାରେ ଯୋଗଦେବା ପାଇଁ ରବିବାର ଚିତ୍ତରଞ୍ଜନ ଶ୍ୱଶୁର ଘର ଯାଇଥିଲେ। ମାତ୍ର ସୋମବାର ସକାଳେ ସେ କବାଟ ଖୋଲିନଥିଲେ। ପରେ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ କବାଟ ଭାଙ୍ଗି ଚିତରଂଜନଙ୍କ ରକ୍ତାକ୍ତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଓ ଦାଗ ରହିଥିବା ସହ ଗୋଡ ଏବଂ ପାଦ ରକ୍ତ ଜୁଡୁବୁଡୁ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଚିତରଂଜନଙ୍କ ସାନ ଭାଇ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଭାଉଜ ଲକିଲୋରାଙ୍କ ସମେତ ଭାଇଙ୍କ ଶ୍ୱଶୁର, ଶାଶୁ, ଶାଳୀ ଏବଂ ସଢୁମାନଙ୍କର ଏହା ପଛରେ ହାତ ଥିବା ଦର୍ଶାଇ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଭାଉଜଙ୍କ ପରକୀୟା ପ୍ରୀତି ଏହା ପଛର କାରଣ ବୋଲି ରଶ୍ମିରଂଜନ ସନ୍ଦେହ କରିଛନ୍ତି।
ଅନ୍ୟପଟେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ପାଲଟା ଚିତରଂଜନଙ୍କ ଉପରେ ପାଲଟା ଆରୋପ ଲଗାଇଛନ୍ତି ମୃତକଙ୍କ ପତ୍ନୀ ଲକିଲୋରା। ତାଙ୍କ ସ୍ୱାମୀ ଜଣେ ଡ୍ରଗ୍ସ ଆଡିକ୍ଟ ଥିଲେ ଆଉ ତାଙ୍କୁ ନିୟମିତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଚିତ୍ତରଞ୍ଜନ ଭିତର ପଟୁ କବାଟ ଦେଇ ଶୋଇଥିଲେ, ମାତ୍ର ସକାଳୁ କବାଟ ଖୋଲି ନଥିଲେ। ଫଳରେ ପୁଲିସକୁ ଏବଂ ତାଙ୍କ ପରିବାର ଲୋକଙ୍କ ପାଖକୁ ଖବର ଦିଆଯାଇଥିଲା ବୋଲି ସେ କହିଛନ୍ତି।
କୁଜଙ୍ଗ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛି। ସାଇଣ୍ଟିଫିକ୍ ଟିମ୍ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ତେବେ ରଶ୍ମିରଂଜନଙ୍କ ଏତଲା ଭିତିରେ ଏକ ହତ୍ୟା ମାମଲା ରୁଜୁ ହେବ ବୋଲି କୁଜଙ୍ଗ ପୁଲିସ ସୂଚନା ଦେଇଛି।
The post ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ପଛରେ ପରକିୟା ପ୍ରୀତି ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3AGFjiZ
No comments:
Post a Comment