ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଆସିଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଆଜି ଆହୁରି ଖୁସି ଖବର ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ତୃତୀୟ ଲହରକୁ ନେଇ ଯେଉଁ ପ୍ରକାର ଭୟ ସୃଷ୍ଟି ହୋଇଥିଲା, ତାହା ସେପରି ସଂକ୍ରମିତ କରୁ ନାହିଁ । ଓଡ଼ିଶାରେ ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ିନପାରେ । ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏନେଇ ଆଜି ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେବାକୁ ଯାଇ ସେ କହିଛନ୍ତି, ଗତକାଲି ସେରୋ ସର୍ଭେ ରିପୋର୍ଟ ଖୁବ୍ ଭଲ ଆସିଛି। ସବୁ ବର୍ଗର ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଯେଉଁମାନେ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କ ସ୍ଥିତି ଖୁବ୍ ଭଲ ଅଛି।
ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଭ୍ୟାକ୍ସିନ ଡ୍ରାଇଭ କରାଯାଉଛି। ଏହାର ଫଳାଫଳ ଖୁବ୍ ଭଲ ଆସିଛି। ଏହାବାଦ କୋଭାକ୍ସିନ ଓ କୋଭିସିଲ୍ଡରେ ସେମିତି କିଛି ଫରକ ନାହିଁ । ୨ଟି ଯାକ ଭ୍ୟାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରେ ସମାନ ଆଣ୍ଟିବଡି ଅଛି।
ଏଥିସହ ରାଜ୍ୟର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବା ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ମଧ୍ୟ ବିରାମ ଲଗାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ସୂଚନା ଦେବାକୁ ଯାଇ ସେ କହିଛନ୍ତି, ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂକ୍ରମଣ ସ୍ଥିତିକୁ ନେଇ ସେଭଳି କିଛି ତଫାତ ନାହିଁ। ସେରୋ ସର୍ଭେ ଅନୁଯାୟୀ, ଗ୍ରାମାଞ୍ଚଳରେ ବି ଆଣ୍ଟିବଡି ଭଲ ଅଛି। ଏଥିସହ ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣରେ ଅଛି। ଭୁବନେଶ୍ୱର, କଟକରେ କିଛି ଅଧିକ ରହୁଛି । ତାହା କମ୍, ବେଶୀ ହେଉଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି।
ଆଗକୁ ପାର୍ବଣ ଅଛି। ତେଣୁ ଭଲ ରିପୋର୍ଟ ଆସିଥିଲେ ବି ଅତ୍ୟଧିକ ଖୁସି ହୋଇ ସାମାଜିକ କଟକଣାକୁ ଉଲ୍ଲଘଂନ କରିବା ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସୂଚନାଯୋଗ୍ୟ, ଗତକାଲି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସେରୋ ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭୩ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା କହିଥିଲେ । ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା । ଯେଉଁଥିରେ ମୋଟ ୭୩ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା । ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩ ଦଶମିକ ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାବେଳେ ୬ରୁ ୧୦ ବର୍ଷ ବୟସ୍କ ଶିଶୁଙ୍କ ମଧ୍ୟରେ ୭୦ ପ୍ରତିଶତ, ୧୧ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୭୪ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ପ୍ରଥମ କରି ୧୮ ବର୍ଷରୁ କମ୍ ପିଲାଙ୍କୁ ଏହି ସେରୋ ସର୍ଭେରେ ସାମିଲ କରାଯାଇଥିଲା ।
ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ପ୍ରତିଶତ ଉପରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଥିଲେ ।
The post ‘କୋଭାକ୍ସିନ, କୋଭିସିଲ୍ଡ ମଧ୍ୟରେ ସେପରି କିଛି ଫରକ ନାହିଁ’ appeared first on Odisha Reporter.
from Odisha Reporter https://ift.tt/3o7AoEd
No comments:
Post a Comment