ବାଲିଗୁଡ଼ା (ଅଜିତ ନାୟକ): ଏକ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ଶୁକ୍ରବାର ଘଟଣାସ୍ଥଳକୁ ଯାଇଥିଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍-ଇନ୍ସପେକ୍ଟର ରବୀନ୍ଦ୍ର ମୁଣ୍ଡାରୀ। ଘଟଣାସ୍ଥଳଟି ଥିଲା ଏକ ପାହାଡ଼ର ଘଞ୍ଚ ଜଙ୍ଗଲରେ। ସେଠାରେ ସେ ତଦନ୍ତ କରି ପୋତି ଦିଆଯାଇଥିବା ଶବକୁ ଖୋଳି ବାହାର କରାଇଥିଲେ। ଶବଟି ପଚି ଯାଇଥିଲା। ଏଣୁ ଯେତେବେଳେ ଶବଟିକୁ ବୋହି ପ୍ରାୟ ୨ କିଲୋମିଟର ଦୂରରେ ଥିବା ମହାପ୍ରୟାଣ ଗାଡ଼ି ନିକଟକୁ ନେବା କଥା ପଡ଼ିଲା ସେତେବେଳେ ପଛଘୁଞ୍ଚା ଦେଇଥିଲେ ପରିବାର ଲୋକେ। ସେମାନେ ପଚି ଯାଇଥିବା ଶବ ବୋହି ନେବାକୁ ମନା କରି ଦେଇଥିଲେ।
ଶେଷରେ ତିନି ଜଣ ଲୋକ ଶବଟିକୁ ଖଟିଆରେ ବୋହି ନେବାକୁ ରାଜି ହେବା ପରେ ଆଉ ଜଣେ ବ୍ୟକ୍ତିଙ୍କ ଆବଶ୍ୟକ ପଡ଼ିଲା। ତେଣୁ ସବ୍-ଇନ୍ସପେକ୍ଟର ରବୀନ୍ଦ୍ର ମୁଣ୍ଡାରୀ ନିଜେ ଶବ ବୋହିଥିଲେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଅଙ୍କା ବଙ୍କା ପାହାଡ଼ି ରାସ୍ତାରେ ସେ ଅନ୍ୟ ତିନି ଜଣଙ୍କ ସହ ମିଶି ପ୍ରାୟ ଦୁଇ କିଲୋମିଟର ଦୂରରେ ଛିଡ଼ା ହୋଇଥିବା ମହାପ୍ରୟାଣ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ।
ସବ୍-ଇନ୍ସପେକ୍ଟରଙ୍କ ଏହି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି। ନିଜ କାର୍ଯ୍ୟ କରିବା ସହିତ ଶବକୁ ବୋହି ମହାପ୍ରୟାଣ ଗାଡ଼ି ପର୍ଯ୍ୟନ୍ତ ଆଣି ସେ ମାନବିକତାର ପରିଚୟ ଦେଇଛନ୍ତି ବୋଲି ସମସ୍ତେ କହିଛନ୍ତି। ଏସ୍ଡିପିଓ ମନୋଜ ପୂଜାହାରୀ ଓ ଥାନା ଅଧିକାରୀ ଶଙ୍କର ସରାଫ ମଧ୍ୟ ରବୀନ୍ଦ୍ର ମୁଣ୍ଡାରୀଙ୍କୁ ପ୍ରଶଂସା କରିଛନ୍ତି।
The post ଛୁଇଁଲେନି ପରିବାର ଲୋକ, ତଦନ୍ତ କରିବାକୁ ଯାଇଥିବା ସବ୍-ଇନ୍ସପେକ୍ଟର ବୋହିଲେ ଶବ appeared first on Odisha Reporter.
from Odisha Reporter https://ift.tt/3lDCRDk
No comments:
Post a Comment