‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପାର୍ବଣ । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବା ବେଳେ କରୋନା କଟକଣା ପାଇଁ ପାର୍ବଣ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ଅନୁଯାୟୀ, ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟ୍‌ରେ ସୀମିତ ରଖିବାକୁ କୁହାଯାଇଛି। ହେଲେ ଏହାକୁ ନେଇ ଆରମ୍ଭ ହେଲାଣି ବାଦ ବିବାଦ । ରାଜ୍ୟ ସରକାରଙ୍କ ଏହି ନିୟମକୁ ହଜମ କରି ପାରୁ ନାହାନ୍ତି ବିଭିନ୍ନ ପୂଜା ଅନୁଷ୍ଠାନ ତଥା ରାଜନୈତିକ ଦଳ। ଏପରିକି ଏହା ବିରୋଧରେ ଆସନ୍ତା ୧୩ ତାରିଖରେ ବିଜେପି କଟକ ବନ୍ଦ ଡାକରା ଦେଇଛି।

ତେବେ ବିଜେପିର କଟକ ବନ୍ଦ ଡାକରା ଉପରେ ଆଜି ବର୍ଷିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି,“ ବ୍ୟକ୍ତିଗତ ସ୍ତରରେ କଟକରେ ମା’ଙ୍କ ପୂଜା ପାରମ୍ପରିକ ଭାବେ ହେଉ ବୋଲି ମୁଁ ଚାହିଁବି  । ହେଲେ ପୂଜାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ଦୁର୍ଗାପୂଜା କେବଳ ବିଜେପିର ନୁହେଁ। ଶାନ୍ତି କମିଟି ବୈଠକରେ ସମୀର ଦେ ଅନୁପସ୍ଥିତ ଥିଲେ। ଏଥିରୁ ପ୍ରମାଣିତ ହେଉଛି ତାଙ୍କର କଟକ ପ୍ରତି କେତେ ଦରଦ ରହିଛି।”

ସେ ଆହୁରି କହିଛନ୍ତି,“ ଭାରତ ବର୍ଷରେ କିପରି ପର୍ବପର୍ବାଣୀ ପାଳନ କରାଯିବ, ତାହା ନେଇ  କେନ୍ଦ୍ର ସରକାର ଗାଇଡଲାଇନ୍‌ ଦେଇଛନ୍ତି। ରାଜ୍ୟରେ ପୁଣି ଥରେ ମହାମାରୀ ବ୍ୟାପକ ରୂପ ନେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶୁଣାଇ ଦେଇଛି କେନ୍ଦ୍ରରେ ଶାସନରେ ଥିବା ତାଙ୍କ ଦଳ।  ତେଣୁ ମା’ଙ୍କ ପୂଜାକୁ ନେଇ ରାଜନୀତି କରନ୍ତୁ ନାହିଁ। ଯଦି ବନ୍ଦ ଡାକରା ଦେଉଛନ୍ତି, ତାହାହେଲେ ସବୁ ଦଳ ଓ ପୂଜା କମିଟିକୁ ଏକାଠି କରି ବନ୍ଦ ଡାକରା ଦିଅନ୍ତୁ।  ଯଦି ରାଜନୈତିକ ଉଦ୍ଦେଶ୍ୟ ନେଇ ଏହି ବନ୍ଦ  ଡାକରା ଦିଆଯାଉଥିବ, ତାହାହେଲେ ଠିକ୍ ନୁହେଁ।

ନିୟମ ସମଗ୍ର ଓଡ଼ିଶା ପାଇଁ ସମାନ । କଟକ ପାଇଁ ଏକ ସ୍ୱତନ୍ତ୍ର ନିୟମ ହୋଇ ପାରିବ ନାହିଁ।  କଟକ ମହାନଗର ପୂଜା କମିଟିର ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ  ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ମୂର୍ତ୍ତିର ଉଚ୍ଚତା ବଢ଼ାଇବା ସହ ପରଦା ଖୋଲାଯାଉ ବୋଲି ଦାବି ଜଣାଇଛନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ଅନ୍ୟ ପକ୍ଷରେ ବିଜେପି ନେତା ସମୀର ଦେ କହିଛନ୍ତି,“ଏବେ ସବୁଠି କରୋନା କଟକଣା  କୋହଳ ହୋଇଛି, ସବୁ ଖୋଲିଯାଇଛି।  ତେଣୁ  ମା’ଙ୍କ ଦର୍ଶନ କରିବାକୁ ଆମକୁ ସୁଯୋଗ ଦିଅନ୍ତୁ। ମା’ଙ୍କ ଭବ୍ୟ ମୂର୍ତ୍ତି ଯେପରି ତିଆରି ହେଉଥିଲା, ସେପରି ତିଆରି ହେଉ। ଯଦି ସରକାର ଏହି କଥାକୁ ପୁନଃ ବିଚାର ନ କରନ୍ତି,  ଆମେ ମା’ଙ୍କ ଦର୍ଶନ କରିବାରେ ସୁଯୋଗ ନ ପାଉ, ତାହାହେଲେ ଆମେ  ୧୩ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବୁ।”

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,“ କଟକ ସହରରେ ମା’ଙ୍କ ପୂଜା  ପାଇଁ ସମସ୍ତେ ବ୍ୟାକୁଳ। ଏଥିପାଇଁ ଆମେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପୂଜା ମଣ୍ଡପରୁ ପରଦା ହଟାଇବାକୁ  ଗୃହରେ ଦାବି କରିଥିଲୁ।  ଏହା ଉପରେ ବାଚସ୍ପତି ରୁଲିଂ ଦେବାକୁ ଆମେ ଦାବି କରିଥିଲୁ।”

ପାର୍ବଣକୁ ନେଇ ସରକାରଙ୍କ କଟକଣା ବିରୋଧରେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି।  ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ସହିତ ପରଦା ପଛରେ ମା’ ଦୁର୍ଗାଙ୍କୁ ପୂଜା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। କେବଳ ବିଜେପି ନୁହେଁ, ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟରୁ ଅଧିକ କରିବାକୁ କଟକର ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା ଦାବି କରିଆସୁଛନ୍ତି।

ସୂଚନାଯୋଗ୍ୟ,  ଗତ ଅଗଷ୍ଟ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପାର୍ବଣ ଲାଗି ଗାଇଡଲାଇନ୍‌ ଜାରି ହୋଇଥିଲା । ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି ବୋଲି କୁହାଯାଇଛି ।

 

The post ‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’ appeared first on Odisha Reporter.



from Odisha Reporter https://ift.tt/3BInYpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages