ଲଗାଣ ବର୍ଷାରେ ଉବୁଟୁବୁ ସାରା ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଲଗାଣ ବର୍ଷାରେ ଉବୁଟୁବୁ ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଯାଇଛି ସାରା ରାଜ୍ୟ। ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ବହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ଭୁବନେଶ୍ୱର, କଟକ ଭଳି ସହରରେ ଅନେକ ଘରେ ପାଣି ପଶି ଯାଇଥିବା ବେଳେ ଅନେକ ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଯାଇଛି। ସେହିପରି ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ କେଉଁଠି ଜାତୀୟ ରାଜପଥ ମଧ୍ୟ ଭୁଶୁଡ଼ି ପଡ଼ିଛି। ସେହିପରି ଅତ୍ୟଧିକ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ଲୋକଙ୍କ ଜୀବନ ମଧ୍ୟ ଯାଇଛି।

ମୟୂରଭଞ୍ଜ ଜିଲ୍ଲାର ମୋରୋଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ଆଦି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱରର ମଥାନୀଠାରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଗତକାଲି ସଂଧ୍ୟା ୫ଟା ବେଳେ ନଦୀର ଜଳସ୍ତର ୫.୬ ମିଟର ଉପରେ ପ୍ରବାହିତ ହେଉଥିଲା।ଏବେ ବି ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ଜଳକାରେ ବନ୍ୟା ଆଶଙ୍କା କରାଯାଉଛି । ସାମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ଉପରେ ନଜର ରଖାଯାଇଛି। ଏହାସହ ବାଲିବସ୍ତା ମହଜୁଦ ରଖି ସତର୍କ ନଜର ରଖିଛି ଜଳସଂପଦ ବିଭାଗ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳମଗ୍ନ ହୋଇଛି ବାଲେଶ୍ୱର ସହର ଓ ଏହାର ଆଖପାଖ ତଳିଆ ଅଞ୍ଚଳ । ବାଲେଶ୍ୱର ସହରର ଚିଡ଼ଇାପୋଲ, ନ୍ୟୁ ମାର୍କେଟରୁ ରାତି ସାରା ଦମକଳ ବାହିନୀ କର୍ମଚାରୀ ଜଳ ନିଷ୍କାସନ କରିଛନ୍ତି।  ସେହିପରି ସହରର ଗୁଡ଼ିପଦା, ଚାନ୍ଦମାରି ପଡିଆ, ଅରଡ଼ ବଜାର ଓ ଚୁନଭାଟି ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ୨ଟି ଜଳ ଭଣ୍ଡାରରେ ବଢ଼ୁଛି ପାଣି । ଡ୍ୟାମ୍‌ରେ ପ୍ରତି ସେକେଣ୍ଡରେ ହଜାରେ କ୍ୟୁସେକ ଜଳ ପ୍ରବେଶ କରୁଛି । ଗୋଟିଏ ଗେଟ୍ ଖୋଲି ଏବେ ପାଣି ନିଷ୍କାସନ କରାଯାଇଛି ।

ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷା ଯୋଗୁଁ  ବିଭିନ୍ନ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ନୂଆପଡ଼ା କୋନାବିରା ଗାଁରେ ପାଣି ଘେରରେ ରହିଛନ୍ତି ଗାଁ ଲୋକେ । ସେହିପରି କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାରେ କିଛି ସ୍ଥାନରେ ରାସ୍ତା ଧୋଇଯିବାରୁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

କଟକ ଜିଲ୍ଲା ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।  କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ କୂଳ ଲଙ୍ଘିଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୪ ଫୁଟ ପାଣି ପ୍ରବାହିତ ହେଉଛି।  ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଠାରେ ପେରପେରିଆ ନାଳରେ ବନ୍ୟାଜଳ ଯୋଗୁଁ ଏନ୍ଏଚ-୫୩ରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଡୁବୁରୀ-ତାଳଚେର ମଧ୍ୟରେ ଯୋଗାଯୋଗ ବଚ୍ଛିନ୍ନ ହୋଇଛି।  ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର।

ବଲାଙ୍ଗିର ଜିଲ୍ଲାରେ ରାତି ସାରା ଲାଗି ରହିଛି ବର୍ଷା। ଫଳରେ ପୁଇଁତଳା ବ୍ଲକ ଉତ୍ତରବାହାଲ ଗାଁ କାଲସାଏପଡ଼ା ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି।  ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି।

ସୂଚନାଯୋଗ୍ୟ, ଗଭୀର ଅବପାତ ଝାରସୁଗୁଡ଼ାରୁ ୮୦ କିମି ଓ ସମ୍ବଲପୁରରୁ ୮୫ କିମି ଦୂରରେ  ଥିବା ବେଳେ ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆଜି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଉପକୂଳରେ ବର୍ଷା କମିଥିଲେ ବି ଟ୍ରପଲାଇନ୍‌ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

 

The post ଲଗାଣ ବର୍ଷାରେ ଉବୁଟୁବୁ ସାରା ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/2Xlc2f7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages