ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ ଜରିଆରେ ନକଲି ଫଟୋ ଓ ନକଲି ନାଁ ବ୍ୟବହାର କରି ୧୦ରୁ ଅଧିକ ଯୁବକଙ୍କୁ ଚୁନ ଲଗାଇଥିବା ଜଣେ ଯୁବତୀଙ୍କୁ ଗିରଫ କରିଛି ଭୁବନେଶ୍ୱରର ସହିଦ ନଗର ଥାନା ପୁଲିସ୍। ତାଙ୍କ ନାଁ ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡ଼ା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ ଅଞ୍ଚଳରେ। ତାଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକାଧିକ ଆଇଡିକାର୍ଡ ଜବତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ପ୍ରିୟଙ୍କା ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ରେ ଅନେକ ନକଲି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଅନ୍ୟ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଉଥିଲେ। ନାଁ ବି ଭିନ୍ନ ଭିନ୍ନ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ଆଇଟି ପ୍ରଫେସ୍ନାଲ୍ ଭାବେ ପରିଚୟ ଦେଉଥିଲେ। ସେହିଭଳି ଆଉ କେଉଁ ଆକାଉଣ୍ଟରେ ନିଜକୁ ବ୍ୟୁଟିସିଆନ୍ ବୋଲି ଦର୍ଶାଇଥିଲେ। ଆଉ ଏମିତି କରି ଯୁବକମାନଙ୍କୁ ପ୍ରେମ ନିବେଦନ କରୁଥିଲେ। ତାଙ୍କ ପ୍ରେମ ଜାଲରେ ୧୦ରୁ ଅଧିକ ଯୁବକ ପଡ଼ିଥିଲେ। ଥରେ ଯୁବକମାନେ ତାଙ୍କ ଜାଲରେ ପଡ଼ିବା ପରେ ସେ ବିଭିନ୍ନ ପ୍ରକାରର ବାହାନା କରି- କେତେବେଳେ ପାଠପଢ଼ା ପାଇଁ ତ କେବେଳେ ଘରର ଅସୁବିଧା ବା ଦେହ ଖରାପ କହି ଟଙ୍କା ଲୁଟୁ ଥିଲେ। ସେମାନଙ୍କ ଠାରୁ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ ପ୍ରିୟଙ୍କା। ଟଙ୍କା ପାଇ ସାରିବା ପରେ ସେ ଆକାଉଣ୍ଟ ବନ୍ଦ କରି ଦେଉଥିଲା। କେହି ଭିଡିଓ କଲ୍ କଲେ ସେ ଫୋନ୍ ଉଠାଉ ନଥିଲେ।
ଏହି ଯୁବକମାନଙ୍କ ମଧ୍ୟରୁ ଜଣଙ୍କ ଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଚଳୂ କରିଥିଲେ। ନିଜକୁ ଡାକ୍ତରୀ ଛାତ୍ରୀ ଆଦ୍ୟାଶା ସାମନ୍ତରାୟ ଭାବେ ପରିଚୟ ଦେଇ ସେହି ଯୁବକ ଜଣଙ୍କୁ ବିଭିନ୍ନ କଥା କହି ଟଙ୍କା ଲୁଟି ଥିଲେ। ତେବେ ସନ୍ଦେହ ହେବାରୁ ଖୋଳତାଡ଼ କରିବା ପରେ ପ୍ରିୟଙ୍କାଙ୍କ ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲେ ଏହି ଯୁବକ ଜଣଙ୍କ। ତା’ସହିତ ସେ ଅନ୍ୟମାନଙ୍କୁ ମଧ୍ୟ ଏମିତି ଢଙ୍ଗରେ ଲୁଟି ଥିବା ଯୁବକ ଜଣଙ୍କ ଜାଣିବାକୁ ପାଇଥିଲେ। ତା’ପରେ ସେ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ କରି ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଯୁବତୀଙ୍କ ଦ୍ୱାରା ଲୁଟ୍ର ଶିକାର ହୋଇଥିବା ଅନ୍ୟ ଯୁବକମାନଙ୍କୁ ଥାନାରେ ଏତଲା ଦେବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।
The post ଧରାପଡ଼ିଲେ ଯୁବତୀ ୪୨୦; ୧୦ରୁ ଅଧିକ ଯୁବକଙ୍କ ଠାରୁ ଲୁଟି ଥିଲେ ଲକ୍ଷ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3EhXkX5
No comments:
Post a Comment