ନୂଆଦିଲ୍ଲୀ: ସୁଚିନ୍ତିତ ଷଡଯନ୍ତ୍ର ଥିଲା ଦିଲ୍ଲୀ ଦଙ୍ଗା। ଜାଣିଶୁଣି ଏହାକୁ କରାଯାଇଥିଲା। ଦଙ୍ଗା ପାଇଁ ପୂର୍ବରୁ ହୋଇଥିଲା ପ୍ଲାନିଂ। ଯୋଜନାବଦ୍ଧ ରୂପେ ଏହି ହିଂସା କରାଯାଇଥିଲା। ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନେଇ କିଛି ଏଭଳି କହିଛନ୍ତି ଦିଲ୍ଲୀ ହାଇକୋର୍ଟ।
ପ୍ରକୃତରେ ସୋମବାର ଦିଲ୍ଲୀ ହିଂସା ମାମଲାର ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାର କରିବା ପରେ ହାଇକୋର୍ଟ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। କୋର୍ଟ କହିଥିଲେ, ରାଜଧାନୀରେ ଆଇନ୍ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଏହି ପ୍ରକାରର ସୁଚିନ୍ତିତ ହିଂସା କରାଯାଇଥିଲା। ଭିଡିଓ ଫୁଟେଜରେ ପ୍ରଦର୍ଶନକାରୀଙ୍କ ଆଚରଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସରକାରଙ୍କ ସମେତ ସାଧାରଣ ଲୋକଙ୍କ ଜୀବନକୁ ବାଧା ଦେବା ପାଇଁ ଏହା ଏକ ଯୋଜନାବଦ୍ଧ ଦଙ୍ଗା ଥିଲା ବୋଲି କୋର୍ଟ କହିଛନ୍ତି।
ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି, ଦୁର୍ବୃତ୍ତଙ୍କ ଦ୍ୱାରା ସିସିଟିଭି ଭାଙ୍ଗିବା, ସହରରେ ଆଇନ ଶୃଙ୍ଖଳାକୁ ଭଣ୍ଡୁର କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିବା ଷଡଯନ୍ତ୍ର ଥିଲା ବୋଲି ସ୍ପଷ୍ଟ କରୁଛି। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦଙ୍ଗାକାରୀମାନେ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏହି ଦଙ୍ଗା ହଠାତ୍ ଘଟି ନଥିଲା ବରଂ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା।
ସୂଚନା ମୁତାବକ, ୨୦୨୦ ଫେବ୍ରୁଆରୀ ୨୩ ତାରିଖରେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ଦଙ୍ଗା ହୋଇଥିଲା। ଏହି ଦଙ୍ଗା ପ୍ରାୟ ୩ ଦିନ ଧରି ଜାରି ରହିଥିଲା। ଏହି ସମୟରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ମଧ୍ୟ ହୋଇଥିଲେ।
The post ଯୋଜନାବଦ୍ଧ ଥିଲା ଦିଲ୍ଲୀ ଦଙ୍ଗା: ହାଇକୋର୍ଟ appeared first on Odisha Reporter.
from Odisha Reporter https://ift.tt/3od1kSU
No comments:
Post a Comment