ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ

କଟକ (ଓଡ଼ିଶା ରିପୋର୍ଟର):  ବିଧାନସଭା ସମ୍ମୁଖରେ ବୁଧବାର ହାତ କାଟିବା ସହ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରି ଦିଆଗଲା। ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଦୁଷ୍ମନ୍ତଙ୍କ ଗାଁ ଲୋକେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ। କିନ୍ତୁ ସେହି ହସ୍‌ପିଟାଲ୍‌ ଗୁଡ଼ିକ ବିଏସ୍‌କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ଗତକାଲି ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ଆଉ ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ରାତାରାତି ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର ବି କରି ଦିଆଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସତ୍କାର କରାଯାଇଥିଲା। ଏଥିନିମନ୍ତେ ଜଗତସିଂହପୁରରେ ନିଜ ବାପ ଘରେ ରହୁଥିବା ଦୁଷ୍ମନ୍ତଙ୍କ ପତ୍ନୀ ଓ ତାଙ୍କ ଝିଅଙ୍କୁ ବି ରାତି ଅଧରେ ପ୍ରଶାସନ ତରଫରୁ କଟକ ଅଣାଯାଇଥିଲା। ଏମିତିକି କୁଜଙ୍ଗ ବିଡିଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ଆହୁରି ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଯୋଗ୍ୟତା ଅନୁସାରେ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ପ୍ରଶାସନର ଏଭଳି ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଗାଁ ଲୋକେ। ଦୁଷ୍ମନ୍ତଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରିବା କଥାକୁ ନେଇ ସେମାନେ ଅସନ୍ତୋଷ ବି ପ୍ରକାଶ କରିଛନ୍ତି।

ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ଖଣ୍ଡନ କଲା ଏସ୍‌ସିବି    

ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା। ଏସସିବିରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଡାକ୍ତର ତାଙ୍କୁ ତଡ଼ି ଦେଉଥିବା ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତ। ହେଲେ ଏସସିବିରେ ତାଙ୍କୁ ବେଷ୍ଟ ଚିକିତ୍ସା ସହ ସବୁ ସୁବିଧା ମାଗଣାରେ ଦିଆଯାଉଥିଲା ବୋଲି କହିଛନ୍ତି ଡାକ୍ତର ମହାରଣା।

ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ୨୦୨୦ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କର ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଓ ଅର୍ଥୋପେଡିକ ବିଭାଗର ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ତାଙ୍କ ଅପରେସନ୍ କରିଥିଲେ । ଅସ୍ତ୍ରୋପଚାର ଠିକ୍  ଥିଲା ଓ ତାଙ୍କ ଗୋଡ଼ ରକ୍ଷା ହୋଇ ଯାଇଥିଲା । ଏସସିବି ପକ୍ଷରୁ ମାଗଣାରେ ତାଙ୍କୁ ଚିକିତ୍ସା ଓ ଅନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଥିଲା।  ଏହାପରେ ତାଙ୍କୁ ଫିଜିଓଥେରାପି ପାଇଁ କୁହାଯାଇଥିଲା।  ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆଘାତ ପାଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସମ୍ପୂର୍ଣ୍ଣ ଠିକ୍ ହୋଇଯାଉ।ଫିଜିଓଥେରାପିରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥା’ନ୍ତା । ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍ସ ରେଫର କରାଯାଇଥିଲା। ଗତକାଲି ବିଷ ପିଇଥିବା ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏସସିବିକୁ ରେଫର କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆମ ତରଫରୁ ଆମେ ବେଷ୍ଟ ଦେଇଛୁ । ସେ ଚାହୁଁଥିଲେ ତାଙ୍କ ଗୋଡ଼ ୧୦୦% ଭଲ ହେଉ। ଏହା ସମୟସାପେକ୍ଷ ଥିଲା। ଆଉ କିଛି ସମୟ ସେ ଅପେକ୍ଷା କରିଥିଲେ ଭଲ ହୋଇଯାଇଥା’ନ୍ତା। ତେବେ ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

 

The post ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ appeared first on Odisha Reporter.



from Odisha Reporter https://ift.tt/3jV5V9T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages