କାବୁଲ: କଥା ଦେଇ କଥା ରଖିଲାନି ଆଫଗାନିସ୍ତାନର ଶାସନ ଭାର ସମ୍ଭାଳିଥିବା ତାଲିବାନ ସରକାର। ତାଲିବାନ ସରକାରରେ ମହିଳାଙ୍କୁ ସ୍ଥାନ ମିଳିବ ବୋଲି ଆନ୍ତର୍ଜାତୀୟ ସମୁଦାୟକୁ କହି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିବା ତାଲିବାନ କିନ୍ତୁ ନିଜ ଅସଲ ଚେହେରାକୁ ଲୁଚାଇ ପାରିନି। ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବା ବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି।
ତାଲିବାନୀଙ୍କ ବନ୍ଧୁକ ମୁନକୁ ନ ଡରି ଏହା ବିରୋଧରେ ଗତକାଲି ରାସ୍ତାକୁ ଓହ୍ଲାଇ ନିଜ ଅଧିକାର, ସ୍ୱାଧୀନତା ପାଇଁ ଗର୍ଜନ କରିଥିଲେ ବହୁ ଆଫଗାନୀ ମହିଳା। ଆମେ ଡରିବୁନି, ପଛକୁ ଫେରିବୁନି। ଆମେ ଆମ ଦେଶର ମହିଳାଙ୍କ ସ୍ୱର । ଚୁପ୍ ରହିବୁନି। ଆମକୁ ଆମ ଅଧିକାର ଦରକାର ବୋଲି ନିଜ ଅଧିକାର ପାଇଁ ରାସ୍ତାରେ ଗତକାଲି ଏପରି ଗର୍ଜନ କରୁଥିଲେ ଆଫଗାନି ମହିଳା। ହେଲେ ଦୁର୍ଦ୍ଦଶ, ନିର୍ଦ୍ଦୟ ତାଲିବାନୀଙ୍କ ତଣ୍ଟିରେ ଏହା ସହଜେ ହଜମ ହୋଇ ନ ଥିଲା। ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ମହିଳା ଓ ଏହାକୁ ନିଜ କ୍ୟାମେରାରେ କଭର କରୁଥିବା ସାମ୍ବାଦିକଙ୍କୁ ପଶୁ ପରି ପିଟିଥିଲେ।
କ୍ୟାମେରା ସାମନାରେ ନିଜକୁ ଭଦ୍ର ଭାବେ ଚିତ୍ରଣ କରୁଥିବା ଓ କୌଣସି ନାଗରିକଙ୍କ ମାନବାଧିକାର କ୍ଷୁର୍ଣ୍ଣ କରାଯାଉ ନ ଥିବା ଡିଣ୍ଡିମ ପିଟୁଥିବା ତାଲିବାନୀ ସରକାର କିନ୍ତୁ କ୍ୟାମେରା ପଛରେ ପାଲଟି ଯାଉଛି ହିଂସ୍ର। ଏପରିକି ସେମାନେ ବନ୍ଧୁକ ମୁନରେ ଆନ୍ଦୋଳନକାରୀ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ଏହାକୁ କଭର କରୁଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହାନ୍ତି। ସେମାନେ ୨ ସାମ୍ବାଦିକଙ୍କୁ ମାଡ଼ ମାରି ରକ୍ତାକ୍ତ କରିଥିବାର ଚିତ୍ର ଆସିବା ପରେ ତାଲିବାନୀ ଶାସନର ଅସଲ ଚେହେରା ବିଶ୍ୱ ସମ୍ମୁଖକୁ ଆସିଛି।
ତାଲିବାନ ଦ୍ୱାରା କାମଚଳା ସରକାର ଗଠନ ପରେ ଏହା ବିରୋଧରେ ଦେଶର ବିଭିନ୍ନ କୋଣରେ ପ୍ରତିବାଦ଼ର ସ୍ୱର ତେଜି ଉଠୁଛି। ଏପରିକି ତାଲିବାନୀଙ୍କ ବନ୍ଧୁକଙ୍କୁ ନ ଡରି ନିଜ ହକ୍ ପାଇଁ ବହୁ ସ୍ଥାନରେ ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କାବୁଲର ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀମଣ୍ଡଳରେ ନିଜ ପାଇଁ ଜାଗା ମାଗିଛନ୍ତି।
ହେଲେ ମହିଳାଙ୍କ ଏହି ବିକ୍ଷୋଭ ଯୋଗୁ ବିଚଳିତ ହୋଇପଡ଼ିଛନ୍ତି ତାଲିବାନୀ ଶାସକ । ସେଠାରେ ମୁତୟନ ତାଲିବାନୀ ଦୁର୍ଦ୍ଦଶ ଆତଙ୍କବାଦୀ ମହିଳାଙ୍କୁ ପଶୁ ପରି ପିଟିବା ସହ ଏହାକୁ କଭର କରୁଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହାନ୍ତି। ଏପରିକି ସେମାନଙ୍କୁ ବାଡ଼ି ଓ ବନ୍ଧୁକର ବଟ୍ରେ ଆଖି ବୁଜି ପିଟିଛନ୍ତି। ଏଥିସହ ବହୁ ସାମ୍ବାଦିକଙ୍କୁ ଗିରଫ ସହ ନିର୍ଦ୍ଧୂମ ପିଟିଛନ୍ତି।
ଭବିଷ୍ୟତରେ ଯେପରି କେହି ସରକାରଙ୍କୁ ବିରୋଧ ନ କରନ୍ତି ସେଥି ନିମନ୍ତେ ମଧ୍ୟ କଡ଼ା କଟକଣା ଲାଗୁ କରିଛି ତାଲିବାନ ସରକାର। ସରକାରଙ୍କ ବିନା ଅନୁମତିରେ କେହି ବି ବିକ୍ଷୋଭ ପ୍ରଦର୍ଶନ କରିପାରିବେନି ବୋଲି ନିୟମ ଲାଗୁ କରାଯାଇଛି।
ତାଲିବାନ ସରକାର ଗଠନ କରିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧିନତା ଉପରେ ବହୁ ରୋକ୍ ଲଗାଇଛି। ସ୍କୁଲ, କଲେଜରେ ପୁଅ, ଝିଅ ଏକାଠି ପଢ଼ିପାରିବେନି, ସେମାନେ ନିଜ ଇଚ୍ଛାରେ ଡ୍ରେସ୍ ପିନ୍ଧିପାରିବେନି । ତାଲିବାନୀ ନିୟମ ଯୋଗୁ ଏବେ ବହୁ ମହିଳା ବେରୋଜଗାର ହେବା ସହ ନିଜ କାମକୁ ଫେରି ପାରୁ ନାହାନ୍ତି। ଏହି ସବୁ ପୁଞ୍ଜୀଭୂତ ଅସନ୍ତୋଷ ଯୋଗୁ ମହିଳାମାନେ ତାଲିବାନୀଙ୍କ ନାଲି ଆଖିକୁ ନ ଡରି ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି।
ଏହାବାନ ଆଫଗାନିସ୍ତାନ ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଇବା ସହ କିଛି ଦିନ ପୂର୍ବେ ଡ୍ରୋନ୍ରେ ଆକ୍ରମଣ କରିଥିଲା। ଏହାକୁ ବି ଆଫଗାନୀ ନାଗରିକ ସହଜେ ଗ୍ରହଣ କରିପାରି ନ ଥିଲେ। ଏପରିକି ପାକିସ୍ତାନ ବିରୋଧରେ ମଧ୍ୟ ଆଫଗାନିସ୍ତାନର ବହୁ ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
The post ପ୍ରତିବାଦ ହଜମ ହେଉନି, ସାମ୍ବାଦିକଙ୍କ ସମେତ ମହିଳାଙ୍କୁ ପଶୁ ପରି ପିଟିଲେ ତାଲିବାନୀ appeared first on Odisha Reporter.
from Odisha Reporter https://ift.tt/3hfIbeU
No comments:
Post a Comment