ନୂଆଦିଲ୍ଲୀ: କିଏ ହେବେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ? ଚାଲିଛି ଭିତିରିଆ ଅଙ୍କକଷା। ସମସ୍ତେ ହାଇକାମଣ୍ଡଙ୍କ ପାଖରେ ନିଜ ନିଜ ବାର୍ତ୍ତା ପହଞ୍ଚାଇ ସିଟ୍ ହାତେଇବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ରାଜ୍ୟସଭାର ୬ଟି ସିଟ୍ରେ ଉପନିର୍ବାଚନ ନେଇ ଘୋଷଣା କରାଯାଇଥିଲା। ଏହାପରେ କଂଗ୍ରେସରେ ଟିକେଟ୍କୁ ନେଇ ଲାଗିଛି ଲଢ଼େଇ। ଦଳରୁ ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟସଭା ଆସନ ପାଇଁ କିଏ ହେବ ପ୍ରାର୍ଥୀ, ତାକୁ ନେଇ ଚାଲିଛି କସରତ।
ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ମୁକୁଲ ୱାସନିକ, ମିଲିନ୍ଦ ଦେଓରା, ସଂଜୟ ନିରୁପମ ଏବଂ ପ୍ରମୋଦ ତିୱାରୀଙ୍କ ସମେତ ଅନେକ ନେତା ମଇଦାନରେ ଅଛନ୍ତି। ଏପରିକି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଏହି ଟିକେଟ ରେସ୍ରେ ଥିବା ଏକ ସୂତ୍ରରୁ ଜଣାପଡିଛି।
ତାମିଲନାଡୁରେ ଡିଏମ୍କେ ଏବଂ କଂଗ୍ରେସର ମେଣ୍ଟ ସରକାର ରହିଛି। ଖାଲିପଡିଥିବା ଆସନରୁ ଡିଏମ୍କେ ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇବା ବିଚାରକୁ ବିରୋଧ କରୁଛି। ତେଣୁ ଏହି ସଂଯୋଗକୁ ଦେଖିଲେ କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ଆଜଦାଙ୍କୁ ଡିଏମ୍କେ ରାଜ୍ୟସଭାକୁ ପଠାଇପାରେ। କାରଣ ଡିଏମ୍କେ ସହିତ ଗୁଲାମନବୀ ଆଜାଦଙ୍କ ସମ୍ପର୍କ ବହୁତ ଭଲ।
ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସରିବା ପରେ କଂଗ୍ରେସର ଟପ୍ ନେତାଙ୍କ ସହ ତାଙ୍କର ସେଭଳି କିଛି ଆଉ ଭଲ ସମ୍ପର୍କ ନାହିଁ। ତେଣୁ ଏହି ଅଭିଜ୍ଞ ରାଜନୈତିଜ୍ଞ ଜଣକ ରାଜ୍ୟସଭାକୁ କଂଗ୍ରେସ ତରଫରୁ ନିର୍ବାଚିତ ହେବା ଆଶା ବହୁତ କମ୍।
ସେହିପରି ମହାରାଷ୍ଟ୍ରରେ କଂଗ୍ରେସ ଗୋଟିଏ ମାତ୍ର ରାଜ୍ୟସଭା ଆସନ ଖାଲିପଡିଛି। ହେଲେ ଏଥିପାଇଁ କଂଗ୍ରେସ ପକ୍ଷରୁ ତିନି ଜଣ ନେତା ଆଶାୟୀ ପ୍ରାର୍ଥୀ ଭାବେ ରେସ୍ରେ ଅଛନ୍ତି। ମୁକୁଲ ବାସନିକ, ମିଲିନ୍ଦ ଦେୱଡା, ଯିଏକି ରାହୁଲ ଗାନ୍ଧିଙ୍କ ଖାସ୍ ଲୋକ ଏବଂ ମୁମ୍ବାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ନିରୂପମ। ଏହି ତିନି ନେତାଙ୍କୁ ନେଇ କିଏ ହେବ ପ୍ରାର୍ଥୀ? ତାକୁ ନେଇ ମଧ୍ୟ ଦଳ ଭିତରେ ବିଚାର ବିମର୍ଶ ଚାଲିଛି।
ନିର୍ବାଚନ ଆୟୋଗ ଗୁରୁବାର ରାଜ୍ୟସଭାର ତାମିଲନାଡୁର ଦୁଇଟି ସିଟ୍ , ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏଁ ଖାଲିପଡିଥିବା ସିଟ୍ରେ ଉପନର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୪ରେ ଏହି ସବୁ ସିଟ୍ ପାଇଁ ଭୋଟିଂ ହେବ। ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ। ଏହ ସମ୍ବନ୍ଧରେ ସେପ୍ଟେମ୍ବର ୧୫ ତାରିଖରେ ବିଜ୍ଞପ୍ତି ଜାରି ହେବ।
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ରଖାଯାଇଛି। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
The post କିଏ ହେବେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ? ଚାଲିଛି ଭିତିରିଆ ଅଙ୍କକଷା appeared first on Odisha Reporter.
from Odisha Reporter https://ift.tt/3tvNrjx
No comments:
Post a Comment