କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍ ମାରିଛି। ତେଣୁ କ୍ରେନ୍ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି। ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଏନେଇ ରେଞ୍ଜର କହିଛନ୍ତି, ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି। ଓଡ୍ରାଫର ସ୍ୱତନ୍ତ୍ର ଟିମ୍ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେ ବି ସଫଳତା ମିଳୁନି। ହାତୀଟି ସାମାନ୍ୟ ହାଲିଆ ହୋଇଯାଇଛି। ତେଣୁ ତାକୁ ଖାଇବାକୁ କଦଳୀ ଦିଆଯାଉଛି। ତା’ ସହ ପଲରେ ଥିବା ଅନ୍ୟ ୧୬ଟି ହାତୀ ନଦୀ ଅତିକ୍ରମ କରି ପଳାଇଥିବା ବେଳେ ଏହି ହାତୀଟି ଫସି ଯାଇଛି। ହାତୀଟି ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି। ଆଉ ୨ ଘଣ୍ଟା ମଧ୍ୟରେ ହାତୀକୁ ଉଦ୍ଧାର କରାଯାଇପାରିବ ବୋଲି ଆଶାବାଦୀ ଅଛୁ।
ସୂଚନାଯୋଗ୍ୟ, ଆଜି ଭୋରରୁ ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା। ସେମାନଙ୍କ ମଧ୍ୟରୁ ଗୋଟିଏ ହାତର ମୁଣ୍ଡଳୀରେ ଲାଗିଥିବା ବେଳେ ତାକୁ ଉଦ୍ଧାର ଲାଗି ଜାରି ରହିଛି ପ୍ରୟାସ । ଏହାବାଦ ମହାନଦୀ ପାର ହୋଇ ବାଙ୍କୀ ସାନମୁଣ୍ଡଳି ଗାଁ ପାଖ ଜଙ୍ଗଲରେ ଆଉ ୮ ହାତୀ ଲାଗି ରହିଛନ୍ତି । ଏହି ହାତୀମାନେ ନୂଆ ଶାସନ ନିକଟରେ ଅଟକି ରହିଛନ୍ତି । ବ୍ୟାରେଜର ଆର ପଟେ ଆଉ କିଛି ହାତୀ ଲାଗି ରହିଥିବା ସୂଚନା ମିଳିଛି।
ମହାନଦୀରେ ଏବେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି । ହେଲେ ଅଧିକ ବିଳମ୍ବ ହେଲେ ବି ହାତୀ ଜୀବନ ପ୍ରତି ବିପଦ ଥିବାରୁ ଏବେ କିପରି ଉଦ୍ଧାର କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦିଆଯାଇ ହାତୀକୁ ଉଦ୍ଧାର କରାଯିବ ତାହା ଉପରେ ସମସ୍ତଙ୍କ ଆଖି। ହାତୀଟି ଭାସି ଆସି ମୁଣ୍ଡଳୀଠାରେ ଲାଗିଥିବା ଖବର ପାଇ ତାହାକୁ ଦେଖିବାକୁ ମୁଣ୍ଡଳୀ ବ୍ରିଜରେ ଅସମ୍ଭବ ଭିଡ଼ ଲାଗି ରହିଛି।
The post ୫ ଘଣ୍ଟା ହେଲା ଫସିଛି ହାତୀ, ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ appeared first on Odisha Reporter.
from Odisha Reporter https://ift.tt/3u7OvtX
No comments:
Post a Comment