ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ । ଶେଷରେ ବାନ୍ଧବୀଙ୍କ ସହ ନୂଆ ସଂସାର କରିବାକୁ ବିଛାଇଲା ପୂରା ପ୍ଲାନ୍। ହେଲେ ଦେଖୁ ଦେଖୁ ସବୁ ପ୍ଲାନ୍ ଫସର ଫାଟିଗଲା। ଗତ ଶନିବାର ରାତିରୁ ଆରମ୍ଭ ହୋଇଥିବା ଚିକୁନ ଅପହରଣ ମାମଲାର ହାଇଡ୍ରାମାରେ ଶେଷରେ ପଡ଼ିଛି ଯବନିକା ।
ନିଜ ଅପହରଣ ନାଟକର ନିଜେ ନାୟକ ସାଜିଥିବା ଚିକୁନି ଶେଷରେ ଭୁବନେଶ୍ୱର ଫେରିଛି। ସାଥୀରେ ଫେରିଛି ବାନ୍ଧବୀ। ମଧ୍ୟପ୍ରଦେଶର କଟନି ଷ୍ଟେଶନରୁ ବାନ୍ଧବୀ ସହ ଧରା ପଡ଼ିଥିବା ଚିକୁନକୁ ଧରି ଶେଷରେ ଭୁବନେଶ୍ୱରରେ ପହଞ୍ଚିଛି ପୁଲିସ୍ ଟିମ୍ । ଉଭୟଙ୍କୁ ଆଜି ସକାଳେ ଧଉଳି ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍ ।
ସୂଚନା ଅନୁଯାୟୀ, ପତ୍ନୀଙ୍କୁ ଛାଡ଼ି ବାନ୍ଧବୀଙ୍କ ସହ ନୂଆ ସଂସାର ଗଢ଼ିବାକୁ ଚିକୁନ୍ ସୁଚିନ୍ତିତ ପ୍ଲାନ୍ କରିଥିବା ଚିକୁନ ପୂର୍ବରୁ ନୂଆ ସିମ୍ ବି କିଣି ରଖିଥିଲା। ଏହାପରେ ଗତ ଶନିବାର ନିଜ ପ୍ଲାନ୍ ଅନୁଯାୟୀ ଆରମ୍ଭ କରିଦେଲା କାମ । କେହି ଦୁର୍ବୃତ୍ତ ଛୁରା ମାଡ଼ କରି ଡାଲା ଅଟୋରେ ନେଇ ଯାଉଥିବା କହି ପତ୍ନୀଙ୍କ ନିକଟକୁ ଭଏସ୍ ମେସେଜ ଛାଡ଼ିଥିଲା ଚିକୁନ । ଏହାପରେ ପତ୍ନୀ ପାଗଳି ପ୍ରାୟ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଲିସ୍ ନିକଟରେ ଆକୁଳ ନିବେଦନ କରୁଥିବା ବେଳେ ଗର୍ଲ ଫ୍ରେଣ୍ଡ ସହ ଓଡ଼ିଶା ଛାଡ଼ି ଫେରାର ହୋଇଯାଇଥିଲା ଚିକୁନ ।
ଗତ ଶନିବାର ଚିକୁନ ଫେରାର ହୋଇଯାଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ ରବିବାର ତାଙ୍କ ବାନ୍ଧବୀ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକ ଝିଅ ନିଖୋଜ ନେଇ ଥାନାରେ ଅଭିଯୋଗ କରିବା ସହ ଏହା ପଛରେ ଚିକୁନ ହାତ ଥିବା ସନ୍ଦେହ କରିଥିଲେ।
ଏହାପରେ ଖୋଳତାଡ଼ରୁ ପୁଲିସ୍ ପାଇଲା ସାଂଘାତିକ ତଥ୍ୟ। ଚିକୁନଙ୍କ ପତ୍ନୀ ଓ ବାନ୍ଧବୀ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା ବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଚିକୁନ ଗତ ୭ ବର୍ଷ ହେଲା ସମ୍ପୃକ୍ତା ଯୁବତୀଙ୍କୁ ଭଲ ପାଉଥିବା ବେଳେ ଏନେଇ ତାଙ୍କ ପତ୍ନୀ ମଧ୍ୟ ଭଲ ଭାବେ ଅବଗତ ଥିଲେ।
ମାତ୍ର ୮ ମାସର ସଂସାରକୁ ଉଜାଡ଼ି ପତ୍ନୀଙ୍କୁ ଛାଡ଼ି ବାନ୍ଧବୀଙ୍କ ସହ ଦିଲ୍ଲୀରେ ନୂଆ ସଂସାର ଗଢ଼ିବାକୁ ଚିକୁନ ଦେଖିଥିବା ସ୍ୱପ୍ନ କିନ୍ତୁ ଚୁରମାର ହୋଇଗଲା। ମଧ୍ୟପ୍ରଦେଶକୁ ଧରା ପଡ଼ିଥିବା ଚିକୁନ ଏପରି ସାଂଘାତିକ ତଥ୍ୟ ପୁଲିସ୍କୁ ଦେଇଛି। ତା’ର ଗାଡ଼ି ବରଗଡ଼ ଅଞ୍ଚଳରୁ ଜବତ ହୋଇଛି।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀମ ମୌଜାବେଗ୍ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ।
ହେଲେ ଏକ ଗ୍ୟାରେଜ କରିବା ନିମନ୍ତେ ଗତ ଶନିବାର ଚିକୁନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ଏହାପରେ ରାତିରେ ସ୍ତ୍ରୀଙ୍କୁ ଭଏସ୍ ମେସେଜ ପଠାଇ ତାଙ୍କୁ କେହି ଛୁରୀ ଭୁଷି ନେଇ ଯାଉଥିବା ଜଣାଇଥିଲେ। ଏନେଇ ଧଉଳି ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା। ଚିକୁନଙ୍କୁ ଠାବ କରାଯାଇ ପାରି ନ ଥିବା ବେଳେ ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍, ମନିପର୍ସ ଓ ଗଞ୍ଜି ମିଳିଥିଲା।
The post ଫେରିଲା ଚିକୁନ, ବାନ୍ଧବୀ ସହ ଦିଲ୍ଲୀରେ କରିଥା’ନ୍ତା ନୂଆ ସଂସାର appeared first on Odisha Reporter.
from Odisha Reporter https://ift.tt/3tRQh2j
No comments:
Post a Comment