ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ରାଜ୍ୟସଭାର ୬ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆସାମ ଏବଂ ମଧ୍ୟପ୍ରଦେଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।
ମଧ୍ୟପ୍ରଦେଶରୁ ଏଲ୍.ମୁରୁଗନ୍ଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଉଭୟଙ୍କ ନାଁକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ମୁରୁଗନ ବର୍ତ୍ତମାନ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଅଛନ୍ତି। ତା’ଙ୍କ ନାଁ ଘୋଷଣା ହେବା ପରେ ବିଜୟ ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବନି ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।
ମଧ୍ୟପ୍ରଦେଶରେ ଏବେ ରାଜ୍ୟସଭାର ୧୧ଟି ଆସନ ଅଛି। ଏଥିମଧ୍ୟରୁ ବର୍ତ୍ତମାନ ୭ ଟି ସିଟ୍ ବିଜେପି ହାତରେ ଥିବାବେଳେ କଂଗ୍ରେସରେ ତିନୋଟି ସିଟ୍ ରହିଛି। ଆଉ ବାକି ପଡିଥିବା ଗୋଟିଏ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।
ସେହିପରି ସର୍ବାନନ୍ଦ ସୋନୋୱାଲ ଆସାମର ମୁଖ୍ୟମନ୍ତ୍ରୀ ଥିଲେ। ବିଧାନସଭା ନିର୍ବାଚନରେ ଜିତିବା ପରେ ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ। ପରେ ତାଙ୍କୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ବାସ୍ତବରେ, ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଶ୍ୱଜିତ ଡେମାରି ତାଙ୍କ ଦଳ ବିପିଏଫ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିବାରୁ ଏବେ ଏହି ରାଜ୍ୟସଭା ଆସନ ଖାଲି ପଡିଛି। ଇସ୍ତଫା ଦେବା ପରେ ବିଶ୍ୱଜିତ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ଆସନରେ ଦଳ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି।
ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟସଭା ଉପନିର୍ବାଚନ ଅକ୍ଟୋବର ୪ ତାରିଖରେ ହେବ। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍ , ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏ ସିଟ୍ ରହିଛି।
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ରହିଛି। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
The post ରାଜ୍ୟସଭା ଉପନିର୍ବାଚନ, ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି appeared first on Odisha Reporter.
from Odisha Reporter https://ift.tt/3hMex17
No comments:
Post a Comment