ପାଟନା: ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ଅଜବ ଦଣ୍ଡ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣଙ୍କ ତାଙ୍କ ଗାଁର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତାଙ୍କୁ ବିହାରର ମଧୁବାଣୀରେ ଥିବା ଗୋଟିଏ କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ହେଲେ ଜାମିନରେ ଥିବା ସର୍ତ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଦଣ୍ଡ ସ୍ୱରୂପ ଗାଁରେ ରହୁଥିବା ସବୁ ମହିଳାଙ୍କ କପଡ଼ା ସଫା କରି ଆଇରନ ଦେବାକୁ ପଡ଼ିବ। ଏଥିପାଇଁ ସେ କୌଣସି ଟଙ୍କା ନେବେ ନାହିଁ। ସେହିପରି ୬ ମାସ ଯାଏ ତାଙ୍କୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିବ।
ଝାଞ୍ଜରପୁର କୋର୍ଟର ଏଡିଜେ ଅବିନାଶ କୁମାର ଅଭିଯୁକ୍ତ ଲଲନ କୁମାରଙ୍କୁ ଜାମିନ ଦେଇଛନ୍ତି। ଏହି ସମୟରେ ତାଙ୍କୁ ପୀଡ଼ତାଙ୍କ ସହ ଗାଁର ସବୁ ମହିଳାଙ୍କ କପଡ଼ା ମାଗଣାରେ ସଫା କରିବାକୁ କହିଛନ୍ତି। ୨୦ ବର୍ଷୀୟ ଲଲନ କୁମାର ଗାଁରେ ଲୁଗା ସଫା ବ୍ୟବସାୟ କରନ୍ତି। ଏପ୍ରିଲ ମାସରେ ପୁଲିସ୍ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ମାମଲାରେ ଗିରଫ କରିଥିଲା।
ଜାମିନ ଆବେଦନର ଶୁଣାଣି ବେଳେ ଲଲନ କୁମାରଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଅଭିଯୁକ୍ତଙ୍କ ବୟସ ମାତ୍ର ୨୦। ତେଣୁ ତାଙ୍କୁ ଦୟା ଦେଖାଇବା ଦରକାର। ଅଭିଯୁକ୍ତ ଜଣଙ୍କ ତାଙ୍କ ବ୍ୟକ୍ତିଗତ କ୍ଷମତାରେ ସାମାଜର ସେବା କରିବାକୁ ରାଜି ଅଛନ୍ତି। ଏହା ଶୁଣିବା ପରେ କୋର୍ଟ ତାଙ୍କୁ ମଙ୍ଗଳବାର ଜାମିନ ଦେଇଛନ୍ତି।
ଲୁଗା ସଫା ଦଣ୍ଡ ସହ ତାଙ୍କୁ ଜାମିନ ପାଇଁ କୋର୍ଟ ୧୦ ହଜାର ଟଙ୍କାର ଦୁଇଟି ବଣ୍ଡ ଜମା କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କରିଛି। ସେହିପରି ଘଟଣାର ବୁଝାମଣା କରିବା ପାଇଁ ଦୁଇ ପକ୍ଷ ଆବେଦନ ମଧ୍ୟ ଦାଖଲ କରିଛନ୍ତି।
କୋର୍ଟ କହିଛନ୍ତି, ଛମ ମାସ ଯାଏ ମାଗଣା ଲୁଗା ସଫା ଓ ଆଇରନ କରିବା ପରେ ଅଭିଯୁକ୍ତ ଜଣଙ୍କ ଏ ସମ୍ପର୍କରେ ଗୋଟିଏ ପ୍ରମାଣପତ୍ର ଗାଁର ସରପଞ୍ଚ କିମ୍ବା ଯେକୌଣସି ସରକାରୀ ଅଫିସରୁ ଆଣିବେ। ଏହି ପ୍ରମାଣପତ୍ରକୁ କୋର୍ଟରେ ଦାଖଲ କରିବାକୁ ପଡ଼ିବ।
ଏହାପୂର୍ବରୁ ଏଡିଜେ ଅବିନାଶ କୁମାର ଲକଡାଉନରେ ସ୍କୁଲ ଖୋଲିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ମାଗଣାରେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ।
The post କୋର୍ଟଙ୍କ ଅଜବ ଦଣ୍ଡ, ଗାଁର ସବୁ ମହିଳାଙ୍କ କପଡ଼ା ମାଗଣାରେ ସଫା କରିବେ ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/3lOJKBU
No comments:
Post a Comment