ନୂଆଦିଲ୍ଲୀ: ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱ ରେକର୍ଡ କରିଛନ୍ତି। ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଆୟର୍ଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ଦୁଇଟି ଗୋଲ୍ ଦେଇ ରୋନାଲ୍ଡୋ ବିଶ୍ୱର ସର୍ବାଧିକ ସ୍କୋରର ହୋଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ରୋନାଲ୍ଡୋଙ୍କର ଏବେ ୧୧୧ ଗୋଲ୍ ହୋଇଛି।
ସେ ଇରାନର ଷ୍ଟାର୍ ଷ୍ଟ୍ରାଇକର୍ ଅଲୀ ଦେଇଙ୍କ ରେକର୍ଡ ଭାଙ୍ଗି ଏହି ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ଅଲୀ ଦେଇ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୯ ଗୋଲ୍ କରିଥିଲେ। ୨୦୨୦ ୟୁରୋ କପ୍ ବେଳେ ରୋନାଲ୍ଡୋ ଅଲୀ ଦେଇଙ୍କ ସର୍ବାଧିକ ଗୋଲ୍ କରିବାର ରେକର୍ଡର ସମକକ୍ଷ ହୋଇଥିଲା।
ପର୍ତ୍ତୁଗାଲ ଟିମ୍ ପକ୍ଷରୁ ଖେଳୁଥିବା ରୋନାଲ୍ଡୋ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚର ୮୯ତମ ମିନିଟରେ ପ୍ରଥମ ଗୋଲ୍ କରିଥିଲେ। ଏହା ପରେ ଇଞ୍ଜୁରୀ ଟାଇମରେ ସେ ଆଉ ଏକ ଗୋଲ୍ ଦେଇ ନିଜ ଟିମକୁ ୨-୧ରେ ବିଜୟୀ କରାଇଥିଲେ। ରୋନାଲ୍ଡୋ ଦୁଇଟି ଯାକ ଗୋଲ୍ ହେଡର୍ ଦ୍ୱାରା ଦେଇଥିଲେ।
ନିଜର ୧୮୦ତମ ମୁକାବିଲାରେ ଏହି ବଡ଼ ରେକର୍ଡ ହାସଲ କରି ରୋନାଲ୍ଡୋ କହିଛନ୍ତି, କେବଳ ରେକର୍ଡ ଭାଙ୍ଗିଥିବାରୁ ମୁଁ ବହୁତ ଖୁସି ନୁହେଁ ବରଂ ପୂରା ଟିମ୍ ଯେଉଁଭଳି କମବ୍ୟାକ୍ କରି ମୁକାବିଲା ଜିତିଲା, ତାହା ମୋତେ ଅଧିକ ଖୁସି ଦେଇଛି। ଆମେ ଶେଷ ପର୍ଯ୍ୟନ୍ତ ଆଶା ଛାଡ଼ି ନଥିଲୁ।
ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଆୟର୍ଲ୍ୟାଣ୍ଡ ୪୫ତମ ମିନିଟରେ ଗୋଲ୍ ଦେଇ ଆଗୁଆ ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପର୍ତ୍ତୁଗାଲ ଲଗାତର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ରୋମାଞ୍ଚକର ଭାବେ ଜିତି ନେଇଥିଲା। ଏହି ବିଜୟ ସହ ପର୍ତ୍ତୁଗାଲ ୪ଟି ମ୍ୟାଚରୁ ୧୦ ପଏଣ୍ଟ ସହ ଗ୍ରୁପ୍-ଏ’ର ଶୀର୍ଷରେ ରହିଛି।
The post ବିଶ୍ୱ ରେକର୍ଡ କଲେ ରୋନାଲ୍ଡୋ appeared first on Odisha Reporter.
from Odisha Reporter https://ift.tt/3DFj12R
No comments:
Post a Comment