ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ।
ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା। ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ।
ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ହୁଏତ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି।
ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେହଟି ଭାସୁଥିବା ବେଳେ ସେମାନେ ଏହାକୁ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୨ଟାରେ ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଯାଇଥିଲେ ଶତାବ୍ଦୀ ନଗରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା। ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସି ଯାଇଥିଲେ । ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିଲା।
ବିଏମ୍ସି ଅଫିସ୍ ଘେରିଲା ବିଜେପି
ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅଘଟଣ ପାଇଁ ବିଏମ୍ସି ଅଧିକାରୀମାନେ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
The post ରାଜଧାନୀରେ ନାଳରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା appeared first on Odisha Reporter.
from Odisha Reporter https://ift.tt/3nOhsKl
No comments:
Post a Comment