ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର ୩ବର୍ଷ ପୁରୁଣା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ‘ସ୍ମାର୍ଟ ହେଲଥ କାର୍ଡ’କୁ ଏବେ ବଣ୍ଟନ କରୁଥିବାବେଳେ ଏହାକୁ ଏବେ ଖୋଲାଖୋଲି ଭାବେ ରାଜ୍ୟ ବିଜେପିର ସମର୍ଥନ ମିଳିଛି। ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ବୁଧବାର ଏହି ବିଜୁ କାର୍ଡ ବଣ୍ଟନ ଉତ୍ସବରେ ସାମିଲ ହୋଇ କାର୍ଡ ବାଣ୍ଟିବା ପରେ ଏଭଳି ଆକଳନ ଜୋର୍ ଧରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ସମେତ ପ୍ରାୟ ୪୦ରୁ ୫୦ ଜଣ ରାଜ୍ୟସ୍ତରୀୟ ବିଜେଡି ନେତାମାନେ ଏବେ ପଂଚାୟତୱାରି କାର୍ଡ ବଣ୍ଟା ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ପାଇଁ ଦୀର୍ଘ ୩ବର୍ଷ ଧରି ରାଜ୍ୟ ବିଜେପି ଦାବି କରି ଆସୁଥିବାବେଳେ ବିଜେପି ବିଧାୟିକା ଶ୍ରୀମତୀ ଟେଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି।
ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ବୁଧବାର ହେମଗିରି ବ୍ଲକରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ବିଜେଡି ନେତ୍ରୀ ସୁଲତା ଦେଓ, ଅନୀତା ବିଶ୍ୱାଳ ଓ ଅନ୍ୟମାନଙ୍କ ସହ ମିଶି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଥିବା ଜଣାପଡ଼ିଛି। ତେବେ ଏହି କାର୍ଡ ବାଣ୍ଟିବା ଆଳରେ ଶାସକ ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଯୋଜନା ରଖିଥିବାବେଳେ ବିଜେପି ବିଧାୟିକା ଶ୍ରୀମତୀ ଟେଟେ ଏଥିରେ କିଭଳି ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟିକା ଶ୍ରୀମତୀ ଟେଟେ କହିଛନ୍ତି ଯେ, ଭୋଟ୍ କଟିଯିବ ବୋଲି ରାଜ୍ୟ ସରକାର ‘ଆୟୁଷ୍ମାନ’ ଯୋଜନାକୁ ଏଠାରେ ଲାଗୁ କରୁନାହାନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାବେଳେ ସ୍ଥାନୀୟ ବିଜେପି ବିଧାୟକ ଆଦିତ୍ୟ ମାଢ଼ୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଂଚରେ ବିଧାୟକ ଶ୍ରୀ ମାଢ଼ୀ ଖୋଲାଖୋଲି ଭାବେ ‘ଆୟୁଷ୍ମାନ’ ଯୋଜନାକୁ ଲାଗୁ କରିବା ନିମନ୍ତେ ଦାବି ଦୋହରାଇ ବିଜେଡିକୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଥିଲେ।
ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦ ଜୁଏଲ ଓରାମଙ୍କୁ ଆମନ୍ତ୍ରଣ କରାଯାଇଥିଲେ ବି ସେ ଅନୁପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବୁଧବାରଠୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସପାଲଟିରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଏହି କାର୍ଡକୁ ବଣ୍ଟନ କରୁଛନ୍ତି । ସରକାରୀସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରି ଏହି କାର୍ଡ ବଣ୍ଟା ଯାଉଥିଲେ ମଧ୍ୟ ସେଠାରେ ବିଜେଡି ସମର୍ଥିତ ଲୋକଙ୍କୁ ଦେଖିବାକୁ ମିଳୁଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନିଜସ୍ୱ ଫ୍ଲାଗସିପ୍ ଯୋଜନା କହି ବିଜେଡି ସରକାର କେନ୍ଦ୍ରର ‘ଆୟୁଷ୍ମାନ’ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରୁନାହାନ୍ତି । ଯେଉଁଥିପାଇଁ ରାଜ୍ୟ ବିଜେପି ଦୀର୍ଘଦିନ ଧରି ବିଜେଡି ସରକାରକୁ କଡ଼ା ସମାଲୋଚନା କରି ଆସୁଛି । ଏଭଳି ସ୍ଥିତିରେ ବିଧାୟିକା ଶ୍ରୀମତୀ ଟେଟେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଏବେ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି ।
The post ସୁନ୍ଦରଗଡ଼ରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ବିଜେପି ବିଧାୟିକା appeared first on Odisha Reporter.
from Odisha Reporter https://ift.tt/3nDghxq
No comments:
Post a Comment