ନୂଆଦିଲ୍ଲୀ: କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କାହାକୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରାଯିବ, ସେ ଦାୟିତ୍ୱ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଉପରେ ଛାଡ଼ି ଦିଆଯାଇଛି। ଏପରିକି ଏନେଇ ଗତକାଲି ପଞ୍ଜାବ କଂଗ୍ରେସର ବିଧାୟକ ଦଳ ବୈଠକରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି। ଏଥିରେ କୁହାଯାଇଛି ଯେ ସୋନିଆ ଗାନ୍ଧି ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ତାଙ୍କୁ ସେମାନେ ଗ୍ରହଣ କରିବେ।
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଗତକାଲି ସୁଦ୍ଧା ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ସହିତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ସୁନୀଲ ଜାଖଡ଼ ଓ ବିଧାୟକ କୁଲଜିତ ସିଂହ ନଗ୍ରାଙ୍କ ନାଁ ଶୁଣିବାକୁ ମିଳିଥିଲା। ତେବେ ଆଜି ଆଉ ଏକ ନାଁ ସାମ୍ନାକୁ ଆସିଛି। ଆଉ ସେ ହେଉଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଦଳ ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।
୧୯୬୯ରେ ଅମ୍ବିକାଙ୍କୁ ଦଳକୁ ଆଣିଥିଲେ ଇନ୍ଦିରା ଗାନ୍ଧି। ଦେଶ ବିଭାଜନ ବେଳେ ତାଙ୍କ ବାପା ଅମୃତସରର ଜିଲ୍ଲାପାଳ ଥିଲେ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରଙ୍କୁ ସହିତ କାମ କରିଥିଲେ। ଅମ୍ବିକା ସୋନି ପଞ୍ଜାବର ହୋସିଆରପୁର ଅଞ୍ଚଳର। ସେ ଅନେକ ଥର ପଞ୍ଜାବରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ପଞ୍ଜାବରେ ଦଳରେ ଏବେ ଯେଉଁ ସ୍ଥିତି ଦେଖାଯାଇଛି ତାକୁ ଅମ୍ବିକା ସୋନି ସମାଧାନ କରିପାରିବେ ବୋଲି କେନ୍ଦ୍ରୀୟ ନେତୃତ୍ୱବୃନ୍ଦ ଆଶା ରଖିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ସହିତ ଅନ୍ୟ ସମସ୍ତ ନେତା ତାଙ୍କ ସହିତ ମିଶି କାମ କରିପାରିବେ ବୋଲି ସେମାନେ ଆଶା ରଖିଛନ୍ତି।
The post ଜଣେ ମହିଳା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2ZcY13J
No comments:
Post a Comment