ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାରଦୀୟ ପୂଜାର ଆଜି ଶେଷ ଦିନ। ଆଜି ସବୁଠି ପାଳନ ହେଉଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗତଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ମଣ୍ଡପରେ ଭକ୍ତଙ୍କ ଗହଳି ନାହିଁ।
ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ। ସଂକ୍ରମଣ ଆଶଙ୍କାରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହିବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି। ଚଳିତ ବର୍ଷ ମହାମାରୀ ପାଇଁ ଲୋକଙ୍କ ଗହଳି ଚହଳି, ପୂଜା ମଣ୍ଡପରେ ସାଜସଜା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକଙ୍କ ମନରେ ଭକ୍ତି ଭାବ ରହିଥିଲେ ମଧ୍ୟ କଟକଣା ପାଇଁ ଦେବୀଙ୍କ ଦର୍ଶନରୁ ସେମାନେ ବଞ୍ଚିତ ହେଉଛନ୍ତି।
ପୁରୀରେ ମା ବିମଳାଙ୍କ ପୀଠରେ ଦଶହରା ପୂଜା ନୀତି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥାଏ। ଭଣ୍ଡାର ଘରୁ ବାହାରି ସପ୍ତମୀ ଠାରୁ ପୂଜାର୍ଚ୍ଚନା ହେଉଥିବା ସୁବର୍ଣ୍ଣ ଆୟୁଧ ହଳ ମୂଷଳ ଶ୍ରୀବଳଭଦ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ସହ ଅନେକ ପ୍ରକାରର ସୁବର୍ଣ୍ଣ ମାଳା ପରିଧାନ କରନ୍ତି। ସେହିପରି ଦେବୀ ସୁଭଦ୍ରା ଦୁଇଟି ତଗଡି ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣରେ ବିଭୂଷିତ ହୋଇଥାନ୍ତି। କିନ୍ତୁ ବିଡମ୍ବନା କରୋନା ମହାମାରୀ ହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା ହୋଇଛି। ସେପଟେ ମା ବିମଳାଙ୍କ ପ୍ରତିନିଧି ମା’ କାକୁଡିଖାଇଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ଏବଂ ପରେ କାକୁଡିଖାଇ ଦଶହରା ସନ୍ଧ୍ୟାରେ ଧରାପୃଷ୍ଠରୁ ବିଦାୟ ନେଇଥାନ୍ତି।
ବିଜୟା ଦଶମୀରେ ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଠାକୁରଙ୍କ ସମସ୍ତ ନୀତିକାନ୍ତ ହେବ, କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା। ସେହିପରି ଆସନ୍ତାକାଲି ଭସାଣରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂଆ ଏସ୍ଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ସେହିପରି ଦୀପାବଳି ଓ ବଡ଼ ଏକାଦଶୀରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ। ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ। ସେହିପରି ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି। ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ। ସେହିପରି ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସଂପୂର୍ଣ୍ଣ ନିଷେଧ କରାଯାଇଛି। ଶ୍ରୀମନ୍ଦିରକୁ ପଲିଥିନ ନେଇଥିଲେ ଶହେ ଟଙ୍କା ଜରିମାନା ଲାଗିବ।
The post ଆଜି ବିଜୟା ଦଶମୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3mTZ0hw
No comments:
Post a Comment