ନୂଆଦିଲ୍ଲୀ:ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଘରୋଇ ସଂସ୍ଥା ଟାଟା ହାତକୁ ଗଲା ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ । ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ । ଏ ସମ୍ପର୍କିତ ଆଗତ ପ୍ରସ୍ତାବକୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ସବୁଜ ସଙ୍କେତ ଦେଇଛି ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ପ୍ରାୟ ୨୩ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା। ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ୍ ଜେଟ୍ ମଧ୍ୟରେ ଲାଗିଥିଲା ଜୋରଦାର ଟକ୍କର। ଏଥିନିମନ୍ତେ ଉଭୟ ସଂସ୍ଥା ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ହେଲେ କରୋନା କଟକଣା ପାଇଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଥଇଲା।
ଅପରପକ୍ଷେ, ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ । ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ଜେ.ଆର.ଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା । ମାତ୍ର ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଟାଟା ସନ୍ସ ବାଜି ମାରି ନେଇଛି ।
କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ। ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡ଼ିଥିଲା। ନୂଆ କ୍ରେତାଙ୍କୁ ୨୩,୨୮୬.୫ କୋଟିର କରଜ ବୋଝ ମୁଣ୍ଡାଇବାକୁ ପଡ଼ିବ । ଅବଶିଷ୍ଟ କରଜକୁ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡକୁ ଟ୍ରାନ୍ସଫର କରି ଦିଆଯିବ।
The post ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ, ୬୭ ବର୍ଷ ପରେ ଫେରିଲା ମାଲିକାନା appeared first on Odisha Reporter.
from Odisha Reporter https://ift.tt/3omza7Y
No comments:
Post a Comment