ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ନେଇ ବିଭିନ୍ନ କୃଷକ ସଂଗଠନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀର ଯନ୍ତର ମନ୍ତରରେ ସତ୍ୟାଗ୍ରହ କରିବାକୁ ଅନୁମତି ପାଇଁ ସୁପ୍ରିମ୍କୋର୍ଟ ଯାଇଥିବା ଏକ କୃଷକ ସଂଗଠନ (କିଷାନ ମହାପଞ୍ଚାୟତ) କୁ କଡ଼ା କଥା ଶୁଣିବାକୁ ପଡ଼ିଛି। ଏହି ସଂଗଠନ ଉପରେ ସର୍ବୋଚ୍ଚ କୋର୍ଟ ଖୁବ୍ ବର୍ଷି ଥିଲେ। କହିଥିଲେ- ପୂରା ସହର (ଦିଲ୍ଲୀ)ର ତଣ୍ଟି ଚିପି ସାରିଲଣି। ଆଉ ଏବେ ସହର ଭିତରେ ପଶିବାକୁ ଚାହୁଁଛ।
ଜଷ୍ଟିସ୍ ଏମ୍ ଖାନୱିଲକର ଓ ସିଟି ରବିକୁମାରଙ୍କ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରି କହିଥିଲେ, ଆପଣମାନଙ୍କ ଏହି ଆନ୍ଦୋଳନରେ ଆଖପାଖରେ ରହୁଥିବା ଲୋକେ ଖୁସି ଅଛନ୍ତି କି? ବାଣିଜ୍ୟ, ବ୍ୟବସାୟ ସବୁ ବନ୍ଦ ହୋଇଯିବା ଉଚିତ୍? ଥରେ ସେମାନେ (କୃଷକ ସଂଗଠନଗୁଡ଼ିକ) ତିନି କୃଷି ଆଇନ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାନେ ସେମାନେ କୋର୍ଟଙ୍କ ଉପରେ ଭରସା ରଖିବା ଉଚିତ୍। ଯଦି ଆପଣମାନଙ୍କର କୋର୍ଟଙ୍କ ଉପରେ ଭରସା ଅଛି, ତା’ହେଲେ ଆନ୍ଦୋଳନ ନ କରି ମାମଲାର କିପରି ଶୀଘ୍ର ଶୁଣାଣି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଅନ୍ତୁ। ଆପଣମାନେ କ’ଣ ଆଇନ ବ୍ୟବସ୍ଥା ବିରୋଧରେ ବି ଆନ୍ଦୋଳନ କରୁଛନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।
ଜଷ୍ଟିସ୍ ଖାନୱିଲକର କହିଥିଲେ, ଆପଣମାନେ ରାଜପଥ ଅବରୋଧ କରିଛନ୍ତି, କିନ୍ତୁ କହୁଛନ୍ତି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ଲୋକମାନଙ୍କ ସଂପତ୍ତି ନଷ୍ଟ କରାଯାଉଛି। ଆପଣମାନେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛନ୍ତି। ଆପଣମାନେ ପ୍ରତିରକ୍ଷା କର୍ମଚାରୀଙ୍କୁ ବି ଅଟକାଇ ଦେଇଛନ୍ତି।
କିଷାନ ମହାପଞ୍ଚାୟତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଥିଲେ ଯେ ସେମାନେ ରାଜପଥ ଅବରୋଧ କରି ନାହାନ୍ତି। ଏହା ପରେ କୋର୍ଟ ଏନେଇ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ସେଥିରେ ସେମାନେ ରାସ୍ତା ଅବରୋଧ କରି ନାହାନ୍ତି ବୋଲି ଲେଖନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ।
ଯନ୍ତର ମନ୍ତରରେ ୨୦୦ ଚାଷୀଙ୍କୁ ନେଇ ସତ୍ୟାଗ୍ରହ କରିବାକୁ ଅନୁମତି ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲା କିଷାନ ମହାପଞ୍ଚାୟତ।
ସୂଚନାଯୋଗ୍ୟ, ବର୍ଷେ ହୋଇଗଲାଣି ଦିଲ୍ଲୀ ସୀମାରେ କୃଷକମାନେ ତିନି କୃଷକ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ସହିତ ସେମାନଙ୍କର ୧୧ ଥର ବୈଠକ ବସି ସାରିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଏହି ଆନ୍ଦୋଳନ ସମୟରେ ଗତ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ହିଂସାକାଣ୍ଡ ଘଟିଥିଲା। ଟ୍ରାକ୍ଟର ରାଲିରେ ବାହାରିଥିବା ଚାଷୀମାନେ କିଛି ସମୟ ପାଇଁ ଲାଲ କିଲ୍ଲାକୁ ନିଜ କବଜାକୁ ନେଇଥିଲେ।
The post ଯନ୍ତର ମନ୍ତରରେ ସତ୍ୟାଗ୍ରହ କରିବାକୁ ଅନୁମତି ପାଇଁ ଯାଇଥିବା କୃଷକ ସଂଗଠନ ଉପରେ ବର୍ଷିଲେ ସୁପ୍ରିମ୍କୋର୍ଟ appeared first on Odisha Reporter.
from Odisha Reporter https://ift.tt/3ooV2jo
No comments:
Post a Comment