ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତିର କରାଳରୂପ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି। ଇତି ମଧ୍ୟରେ ପ୍ରକୃତିର ତାଣ୍ଡବ ଯୋଗୁ ୬୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୧୨ ଜଣ ପର୍ବତାରୋହୀ ରହିଛନ୍ତି।
କାପକୋଟ(ବାଗେଶ୍ୱର) ସବଡିଭିଜନାଲ ମାଜିଷ୍ଟ୍ରେଟ ପାରିତୋଷ ବର୍ମା କହିଛନ୍ତି, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ଶବ ଉଦ୍ଧାର କରାଯାଇ ପାରିନି। ଖରାପ ପାଗ ଯୋଗୁ ଅପରେସନରେ ବାଧା ସୃଷ୍ଟି ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମାଟି ଅତଡ଼ା ତଳେ ଫସି ରହିଥିବା ଶବ ଗୁଡ଼ିକୁ ଉଦ୍ଧାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ମୃତ ପର୍ବତାରୋହୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଥିବା ବେଳେ ୯ ଜଣ ପଶ୍ଚିମବଙ୍ଗର। ୨ ଜଣ ମୃତ ପର୍ବତାରୋହୀଙ୍କ ପରିଚୟ କିମ୍ବା ସେମାନେ କେଉଁ ରାଜ୍ୟର ସେକଥା ଜଣାପଡ଼ିନି। ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ବିଭିନ୍ନ ସ୍ଥାନରୁ ମିଳିଥିବା ମୃତଦେହଗୁଡ଼ିକୁ ହରସିଲକୁ ଅଣାଯାଇଛି। ଉଦ୍ଧାରକାରୀ ଦଳ ଆଖପାଖ ଅଞ୍ଚଳରେ ପୋତି ହୋଇ ରହିଥିବା ଅନ୍ୟ ଶବ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି।
ଉତ୍ତରାଖଣ୍ଡର ବିଭିନ୍ନ ପାହାଡ଼ରେ ଫସି ରହିଥିବା ସାଧାରଣ ଲୋକ ଓ ପର୍ବତାରୋହୀଙ୍କୁ ହେଲିକପ୍ଟର ଦ୍ୱାରା ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ବାଗେଶ୍ୱରରେ ୬ ଆମେରିକୀୟଙ୍କ ସମେତ ୬୧ ଜଣ ପର୍ବତାରୋହୀଙ୍କୁ ପିଣ୍ଡାରୀ, କଫନି ଓ ସୁନ୍ଦେରଧୁଙ୍ଗା ଗ୍ଲାସିୟରରୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି।
ଡରମା ଓ ବ୍ୟାସ ଉପତ୍ୟକାରେ ଫସି ରହିଥିବା ୧୦୦ରୁ ଅଧିକ ପର୍ଯ୍ୟଟଙ୍କୁ ମଧ୍ୟ ପ୍ରଶାସନ ଏୟାରଲିଫ୍ଟ କରିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ନୈନତାଲ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି।
ଶହଶହ ଘର ମାଟିରେ ମିଶି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାହାଡ଼ ଧସିଛି। କିଛି ଦିନ ପାଇଁ ନୈନତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ମଧ୍ୟ ହୋଇଯାଇଥିଲା। ହେଲେ ଏବେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଥିବା ଜଣାପଡ଼ିଛି। ନୈନତାଲ ବ୍ୟତୀତ ଚାମ-ପାୱତରେ ୧୧ ଜଣ ଓ ଅଲମୋରରେ ୬ ଜଣ ଲୋକଙ୍କ ଜୀବନ ଯାଇଛି।
The post ପ୍ରକୃତିର ତାଣ୍ଡବ: ୧୨ ପର୍ବତାରୋହୀଙ୍କ ସମେତ ୬୭ ଜଣଙ୍କ ଜୀବନ ଗଲାଣି appeared first on Odisha Reporter.
from Odisha Reporter https://ift.tt/2ZcTiPE
No comments:
Post a Comment