ନୂଆଦିଲ୍ଲୀ: ସାରା ଦେଶକୁ କଲବଲ କରୁଛି ତୈଳ ଦର। ପ୍ରାୟ ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍ ଦର। ତେବେ ଯାହା ସୂଚନା ଆସିଛି ଦୀପାବଳି ପୂର୍ବରୁ ତୈଳ ଦର କିଛି ପରିମାଣରେ ହ୍ରାସ ପାଇପାରେ। ତୈଳ ଦର ହ୍ରାସ କରିବା ପାଇଁ ସରକାର ଏହା ଉପରେ ବସୁଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିପାରନ୍ତି। କରୋନା ମହାମାରୀ ପରେ ସରକାର ପ୍ରଥମ ଥର ଏଭଳି ପଦକ୍ଷେପ ନେଇପାରନ୍ତି।
ସୂଚନା ଅନୁଯାୟୀ, ଉଭୟ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କରେ ସରକାର ଲିଟର ପିଛା ୨ରୁ ୩ ଟଙ୍କା ହ୍ରାସ କରିପାରନ୍ତି। ଦୀପାବଳି ପୂର୍ବରୁ ଏନେଇ ଘୋଷଣା କରାଯାଇପାରେ। ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କ ପାଖରେ ଅନେକ ବାଟ ରହିଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ। ଏହା ଦ୍ୱାରା ସରକାରଙ୍କ ଏହି ବର୍ଷର ରାଜସ୍ୱ ଟାର୍ଗେଟ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଗତ ଜାନୁଆରୀ ୧ ତାରିଖରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୨୬ ଟଙ୍କା ବଢ଼ି ସାରିଛି।
ଆଜି ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦର ୯୪ ଟଙ୍କା ୯୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୨ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ ଦର ୧୦୨ ଟଙ୍କା ୮୯ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୧୦୬.୭୮ ଟଙ୍କା ରହିଥିବା ବେଳେ ବେଙ୍ଗାଲୁରୁରେ ୧୦୯.୮୯, ହାଇଦ୍ରାବାଦରେ ୧୧୦.୪୬, ଭୋପାଳରେ ୧୧୪.୮୧ ଓ ଜୟପୁରରେ ୧୧୩.୩୮ଟଙ୍କା ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ଦର ୧୦୭ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦର ୧୦୩ ଟଙ୍କା ୫୫ ପଇସା ରହିଛି। କଟକରେ ପେଟ୍ରୋଲ ଦର ୧୦୭ ଟଙ୍କା ୪୮ ପଇସା ରହିଥିବା ବେଳେ ରାଉରକେଲାରେ ୧୦୮ ଟଙ୍କା ୨୩ ପଇସା ଓ ମାଲକାନଗିରିରେ ୧୧୨ ଟଙ୍କା ୭୧ ପଇସା ରହିଛି।
The post ଦୀପାବଳି ପୂର୍ବରୁ କମିପାରେ ପେଟ୍ରୋଲ ଓ ଡିଜେଲ ଦର appeared first on Odisha Reporter.
from Odisha Reporter https://ift.tt/2XyX99e
No comments:
Post a Comment