ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଜାତୀୟ କଂଗ୍ରେସ ଦଳର ସମ୍ପାଦକ ରଣଦୀପ ସୁର୍ଯେୱାଲାଙ୍କ ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।
ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମିଶି ଏମାନେ ବଲାଙ୍ଗିର କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମୃତା ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସରକାରୀ ବୈଠକରେ ଯୋଗ ଦେଉଥିବାବେଳେ ନିଜ ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ କିନ୍ତୁ ମୁଁହ ଖୋଲୁନାହାଁନ୍ତି, ଯାହାକି ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦଳ କହିଛି।
ସେପଟେ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ବନ୍ଦ ରହିବ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ।
ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ନେଇ ପୂର୍ବରୁ ଗତ ୨୫ ତାରିଖରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ ହୋଇଥିଲା। ତେଣୁ ଆଜି ବୀରମହାରାଜପୁରକୁ ବାଦ ଦେଇ ସୋନପୁର ଜିଲ୍ଲାର ଅନ୍ୟ ସମସ୍ତ ୫ ବ୍ଲକ୍, ୨ଟି ଏନଏସି ଓ ଗୋଟିଏ ମୁନିସିପାଲିଟି ଅଞ୍ଚଳରେ ବିଜେପି ବନ୍ଦ ପାଳନ କରିବ। ସେହିପରି ନୂଆପଡ଼ା ଜିଲ୍ଲାରେ ବିଜେପି ବନ୍ଦ ଡାକରା ଦେଇଥିବା ବେଳେ ବୌଦ୍ଧରେ ଏସ୍ପି କାର୍ଯ୍ୟାଳୟ ଘେରିବ ବୋଲି ଜଣାପଡ଼ିଛି।
ସେପଟେ ଆସନ୍ତା ୨୯ରେ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍। ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ତଥ୍ୟ ସଂଗ୍ରହ ଲାଗି ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବନତୀ ଶ୍ରୀନିବାସନଙ୍କ ନେତୃତ୍ୱରେ ଏହି ଟିମ୍ ଆସୁଛି। କେନ୍ଦ୍ରୀୟ ଟିମ୍ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ରିପୋର୍ଟ ଦେବ।
ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶୀଘ୍ର ମନ୍ତ୍ରୀ ପଦରୁ ହଟାଇବା ସହ ମମିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ମଧ୍ୟ ବିକ୍ଷୋଭ ହୋଇଥିଲା। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୮ ଜିଲ୍ଲାରେ ଏସ୍ପି ଅଫିସ୍ ଘେରାଉ କରାଯାଉଛି। ପୁରୀ, ବାଲେଶ୍ୱର, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାରେ ବିକ୍ଷୋଭ ହେଉଛି। ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।
The post ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଓ ନୂଆପଡା ଜିଲ୍ଲା ବନ୍ଦ, ମମିତା ଗାଁକୁ ଯିବ କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/3jK9KxX
No comments:
Post a Comment