ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୁଣିଥରେ ମୁହଁ ଖୋଲିଛନ୍ତି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର। ସେ ଗାଡ଼ି ମାଡ଼ି କିଛି ଲୋକ ପ୍ରାଣ ହରାଇଥିବା କଥାକୁ ସ୍ୱୀକାର କରିଥିଲେ ହେଁ ତାଙ୍କ ପୁଅ ଆଶିଷ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ବୋଲି ଶ୍ରୀ ମିଶ୍ର ଦୋହରାଇଛନ୍ତି।
ସେ କହିଛନ୍ତି, “ମହିନ୍ଦ୍ରା ଥର ଆମ ଗାଡ଼ି। ଆମ ଡ୍ରାଇଭର ଆକ୍ରମଣ ଶିକାର ହେବାରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା କିଛି ଲୋକଙ୍କ ଉପରେ ମାଡ଼ି ଯାଇଛି। ମୋ ପୁଅ କାର୍ରେ ନଥିଲା। କାରକୁ ପ୍ରଥମେ ଆକ୍ରମଣ କରାଯାଇଥିଲା। ତେଣୁ ଏହା ଭାରସାମ୍ୟ ହରାଇ କିଛି ଲୋକଙ୍କ ଉପରେ ମାଡ଼ି ଯାଇଥିଲା।
ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାଇଁ ମୁଁ ଦୁଃଖପ୍ରକାଶ କରୁଛି। ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ଘଟଣା ଦିନ ମୋ ପୁଅ ଦିନ ୧୧ଟାରୁ ସନ୍ଧ୍ୟା ଯାଏ ଆଉ ଗୋଟିଏ କାର୍ଯ୍ୟକ୍ରମରେ ଥିଲା। ଉକ୍ତ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ରହିଛି। ଅନେକ ଲୋକ ସାକ୍ଷୀ ଦେବାକୁ ମଧ୍ୟ ପ୍ରସ୍ତୁତ।
ହିଂସାରେ ଆମ ଡ୍ରାଇଭର ଓ ଆଉ ଦୁଇ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ଜଣେ କର୍ମୀ ଖସି ଆସିବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମହିନ୍ଦ୍ରା ଥର ସହ ଗୋଟିଏ ଫର୍ଚ୍ୟୁନରକୁ ଜାଳି ଦିଆଯାଇଛି। ମୋ ପୁଅ ସେଠାରେ ଥିଲା କି ନାହିଁ, ତା’ର କଲ ରେକର୍ଡ, ସିଡିଆର ଓ ଲୋକେସନକୁ ଯାଞ୍ଚ କରାଯିବା ଦରକାର।”
ଚାଷୀଙ୍କୁ ଧମକ ଦେବା ବେଳର ଅଡିଓ ଟେପ ସମ୍ପର୍କରେ ସେ କହିଛନ୍ତି, “ମୁଁ ସେଦିନି କ’ଣ କହିଥିଲି ତା’ର ସଂପୂର୍ଣ୍ଣ ଅଡିଓକୁ ଭାଇରାଲ କରାଯାଉ। ମୁଁ ଚାଷୀଙ୍କ ବିରୋଧରେ କୌଣସି ଅପଶବ୍ଦ କହିନି। ମୋ ଭାଷଣର କିଛି କଥାକୁ ଭାଇରାଲ କରାଯାଉଛି। ଚାଷୀଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି ହିଁ ପୂରା ଘଟଣାକୁ କାର୍ଯ୍ୟକାରୀ କରିଛନ୍ତି।”
କ’ଣ ବିଜେପି ହାଇକମାଣ୍ଡ ତାଙ୍କୁ ସମନ କରିଛନ୍ତି କି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, “ମୋର ଦିଲ୍ଲୀରେ କିଛି କାମ ରହିଛି। ତେଣୁ ମୁଁ ଦିଲ୍ଲୀ ଯାଉଛି।”
The post ଲଖିମପୁର ଖେରି ହିଂସାକୁ ନେଇ ପୁରୁଣା କଥା ଦୋହରାଇଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3mqexW1
No comments:
Post a Comment