ଶ୍ରୀନଗର: ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଗୋଟିଏ ଦିନରେ ହମଲା କରିଛନ୍ତି। ଏହି ଆତଙ୍କୀ ହମଲାରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜଣାଶୁଣା ଔଷଧ ବ୍ୟବସାୟୀ ମଧ୍ୟ ରହିଛନ୍ତି। ଆତଙ୍କବାଦୀମାନେ ସମସ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଶ୍ରୀନଗରର ଇକବାଲ ପାର୍କ ନିକଟରେ ଥିବା ଔଷଧ ଦୋକାନର ମାଲିକ ମଖନ ଲାଲ ବିନ୍ଦ୍ରୋଙ୍କୁ ଆତଙ୍କବାଦୀମାନେ ହଠାତ୍ ଗୁଳି କରିଛନ୍ତି। ଗୁଳିମାଡ଼ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଯାଏ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାକୁ ନିନ୍ଦା କରି ସେମାନେ ଦୋଷୀଙ୍କୁ ତୁରନ୍ତ ଧରିବାକୁ ଦାବି କରିଛନ୍ତି।
ଏହାପୂର୍ବରୁ କଶ୍ମୀରର ଆଉ ଦୁଇଟି ସ୍ଥାନରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ବାନ୍ଦିପୋରାର ଶାହଗୁଣ୍ଡ ଠାରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିବାରୁ ମହମ୍ମଦ ଶଫି ଲୋନଙ୍କ ମୃତ୍ୟୁ ଘଟିଛି। ଲୋନଙ୍କ ଘର ନାଇଡଖାଇ ଅଞ୍ଚଳରେ ବୋଲି ପୁଲିସ କହିଛି।
ଘଟଣା ପରେ ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ତେବେ ଏଯାଏ ଆତଙ୍କବାଦୀଙ୍କ ପତ୍ତା ମିଳିନି। ବାନ୍ଦିପୋରା ଆକ୍ରମଣ ପୂର୍ବରୁ ଆତଙ୍କବାଦୀମାନେ ଶ୍ରୀନଗରେ ଜଣେ ଷ୍ଟ୍ରିଟ ଭେଣ୍ଡରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଲାଲବଜାର ନିକଟସ୍ଥ ମଦିନା ଚୌକରେ ଏହି ଘଟଣା ଘଟିଛି। ବୀରେନ୍ଦ୍ର ପାଶ୍ୱାନ ନାମକ ଜଣେ ଦୋକାନୀଙ୍କୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ପାଶ୍ୱାନଙ୍କ ଘର ବିହାରର ବାଘଲପୁର ହୋଇଥିବା ବେଳେ ସେ ଏଠାରେ ଦୋକାନ କରିଥିଲେ।
ଗୋଟିଏ ଦିନରେ ଆତଙ୍କବାଦୀମାନେ ୩ଟି ସ୍ଥାନରେ ହମଲା କରିବା ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ। ହେଲେ ଏବେ ନିରୀହ ସାଧାରଣ ଲୋକଙ୍କ ଉପରେ ହମଲା କରୁଛନ୍ତି।
The post କଶ୍ମୀରରେ ଆତଙ୍କୀଙ୍କ ଘନଘନ ହମଲା, ୩ ସାଧାରଣ ନାଗରିକଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3iB2Me2
No comments:
Post a Comment