ଭୁବନେଶ୍ୱର/କନ୍ଧମାଳ (ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାରେ ଛାନଭିନ୍କୁ ଜୋରଦାର କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍ ଏ ଯାଏ ୫ ଜଣଙ୍କୁ ପଚରାଉଚରା ଚଳାଇଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୨ ଜଣ ଥିବା ବେଳେ କନ୍ଧମାଳର ୩ ଜଣ ଅଛନ୍ତି।
ଭୁବନେଶ୍ୱରର ୨ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗତକାଲି କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କୁ ଅଟକ ରଖିଥିଲା। ଏହାପରେ ଆଜି ସକାଳେ ୨ ଜଣ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେମାନଙ୍କୁ ପୁଲିସ୍ ପଚରାଉଚରା କରୁଥିବା ବେଳେ ଉଭୟଙ୍କୁ ଆଣିବାକୁ ଭୁବନେଶ୍ୱରରୁ ଏକ ଟିମ୍ ଯାଇଥିବା ଜଣାଯାଇଛି।
ଏନେଇ କନ୍ଧମାଳ ଏସ୍ଡିପିଓ କହିଛନ୍ତି, ଭୁବନେଶ୍ୱରରୁ ଏକ ଟିମ୍ ଆସି ଗତକାଲି ଜଣେ ଯୁବକଙ୍କୁ ନେଇ ଯାଇଛନ୍ତି। ଆଉ ୨ ଜଣଙ୍କୁ ସେମାନେ ଖୋଜାଖୋଜି କରୁଥିବା ବେଳେ ସେମାନେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି। ଭୁବନେଶ୍ୱରରୁ ଏକ ଟିମ୍ ସେମାନଙ୍କୁ ପଚରାଉଚରା କରିବାକୁ ଆସୁଛି । ଆତ୍ମସମର୍ପଣ କରିଥିବା ଯୁବକଦ୍ୱୟ ହେଲେ ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ମନୀଷ ପାତ୍ରପଡ଼ାସ୍ଥିତ ହୋଟେଲ ସାଉଥ୍ ସିଟିକୁ ଯାଇଥିଲେ। ଏହାପରେ ସେଠାରୁ ବାହାରି ଚାଲି ଚାଲି ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏହାପରେ ତାଙ୍କ ମୃତଦେହ ରବିବାର ଦିନ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା। ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍ସ ପିଆର୍ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ । ତେବେ ମନୀଷ କିଭଳି ଶ୍ୱାସରୁଦ୍ଧ ହେଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ। ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡାଇଟମ୍, ଭିସେରା ଆଦି ଏକାଧିକ ଟେଷ୍ଟ କରିବା ପାଇଁ ନମୁନା ହାଇଦ୍ରାବାଦ ପଠାଯାଇଛି।
The post ମନୀଷ ମୃତ୍ୟୁ ମାମଲା: ପୁଲିସ୍ ଖୋଜୁ ଖୋଜୁ ଆତ୍ମସମର୍ପଣ କଲେ ୨ ଯୁବକ appeared first on Odisha Reporter.
from Odisha Reporter https://ift.tt/3BHw4PS
No comments:
Post a Comment