ବଲାଙ୍ଗିର (ଓଡ଼ିଶା ରିପୋର୍ଟର): “ପରିଷ୍କାର ଭାବେ ଆଜି ଝିଅର ମା’ ପୁଣି କହିଲେ, ଆପଣ ମୋ ପାଇଁ ଲଢ଼ନ୍ତୁ। ଏହା ଆଗରୁ ମୁଁ ଘୋଷଣା କରିଥିଲି ଯେ ଯଦି ଅନୁରୋଧ ଆସେ ତା’ହେଲେ ପୁନର୍ବାର କଳାକୋଟ ପିନ୍ଧିବି ଏବଂ ନ୍ୟାୟ ପାଇଁ ଲଢ଼ିବି।” ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏହା କହିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର।
ସେ କହିଛନ୍ତି, ଆଜି ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କ ପରିବାର ବର୍ଗ ସହିତ ଆମେ ସମସ୍ତେ ଆଲୋଚନା କଲୁ। ଆମର ଏଆଇସିସି ନେତୃବୃନ୍ଦଙ୍କ ସହିତ ସ୍ଥାନୀୟ ନେତୃବୃନ୍ଦ ଆଲୋଚନା ବେଳେ ଉପସ୍ଥିତ ଥିଲେ। ଆଜି ବି କହିଛି ଓ ସେତେବେଳେ ବି କହିଥିଲି ଯେ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା କରାଯିବ।
ନରସିଂହ କହିଛନ୍ତି, ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ। କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ବୋଧହୁଏ ଏହା ଏକ ବିରଳ ଘଟଣା। ଏହି ଘଟଣାରେ ଜଣକୁ ମାରି ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ଦିଆଯାଇଛି। ଆଉ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏଫ୍ଆଇଆର୍କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି। ମୁଁ ଏଫ୍ଆଇଆର ପଢ଼ିଛି। ମୁଁ ଭାବୁ ନାହିଁ ପୀଡ଼ିତାଙ୍କ ପରିବାର ସ୍ୱଇଚ୍ଛାରେ ସେହି ଏଫ୍ଆଇଆର୍ ଲେଖିଥିବ।
ତଦନ୍ତକୁ ନେଇ ଉଠାଇଲେ ପ୍ରଶ୍ନ
ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି, ଡିଆଇଜି କହୁଛନ୍ତି ଯେ ତଦନ୍ତ ପ୍ରାୟ ସରିଗଲାଣି। ଆଉ ତଦନ୍ତର ଆବଶ୍ୟକତା ନାହିଁ। ତା’ମାନେ ୟା ପଛରେ ଯେଉଁମାନେ ଅଛନ୍ତି ଓ ଷଡ଼ଯନ୍ତ୍ର କରିଛନ୍ତି, ସେମାନଙ୍କ ବିରୋଧରେ ଆଉ ତଦନ୍ତ ହେବ ନାହିଁ। ଏହାକୁ ଆମେ ନିନ୍ଦା କରୁଛୁ।
ସେ କହିଛନ୍ତି, ନିକଟ ଅତୀତରେ ଡିଆଇଜି ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ, ସେଥିରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ କାଗଜ ଦେଖି ପ୍ରଶ୍ନ କରୁଥିଲା। ଆଉ ଡିଆଇଜି ଲେଖା ଦେଖି ଉତ୍ତର ଦେଉଥିଲେ। ତେବେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରୁ କେତେ ଜଣ ବିରୋଧ କରିବାକୁ ସେ (ଡିଆଇଜି) ପୁଣି ସମସ୍ତଙ୍କୁ ସୁଯୋଗ ଦେଲେ। ଏଥିରୁ ସୂଚନା ମିଳୁଛି, ବୋଧହୁଏ ଓଡ଼ିଶା ସଚିବାଳୟ (ଲୋକସେବା ଭବନ)ରୁ ନିର୍ଦ୍ଦେଶାବଳୀ ଆସୁଛି ଓ ସେହି ଅନୁସାରେ ସବୁ କାମ ହେଉଛି।
ଏହା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି, ପ୍ରଥମେ ତାଙ୍କୁ ଇସ୍ତଫା ଦେବା ପାଇଁ ଉପଦେଶ ଦେଇଥିଲି। ଦ୍ୱିତୀୟ ଥର ବି ଇସ୍ତଫା ଦେବା ପାଇଁ କହିଥିଲି। କିନ୍ତୁ ଏବେ କହୁଛି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ। ଯଦି ତାଙ୍କୁ ବହିଷ୍କାର ନ କରିବେ, ତା’ହେଲେ ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ।
ଦରକାର ହେଲେ ମମିତାଙ୍କ ମା’ଙ୍କ ଚିକିତ୍ସା କରାଇବ କଂଗ୍ରେସ
ନରସିଂହ କହିଛନ୍ତି, ଝିଅର ପରିବାର ଲୋକେ ବହୁତ ଚାପରେ ଅଛନ୍ତି। ଦିଲ୍ଲୀରୁ ଏଆଇସିସି ହାଇକମାଣ୍ଡ ଖବର ପଠାଇଛନ୍ତି ଯେ ଯଦି ଝିଅର ମା’ଙ୍କ ଚିକିତ୍ସା ଦରକାର ତା’ହେଲେ ଦଳ ତାଙ୍କର ମାଗଣାରେ ଚିକିତ୍ସା କରାଇବ। ଏଠାରୁ ନେବା ବ୍ୟବସ୍ଥା ବି କରାଯିବ। ତାଙ୍କର ଚିକିତ୍ସା ପାଇଁ ଯାହା ସବୁ ଦରକାର, ସେସବୁ କରାଯିବ।
ସୂଚନାଯୋଗ୍ୟ, ଆଜି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ପ୍ରମୁଖ କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।
The post ମମିତାଙ୍କ ପାଇଁ ପୁଣି କଳା କୋଟ୍ ପିନ୍ଧିବେ ନରସିଂହ ମିଶ୍ର! appeared first on Odisha Reporter.
from Odisha Reporter https://ift.tt/3nBxHZx
No comments:
Post a Comment