ଥିରୁବନ୍ତପୁରମ: ୟୁଟ୍ୟୁବ୍ ଭିଡିଓ ଦେଖି ଘରେ ସନ୍ତାନ ଜନ୍ମ କଲେ ନାବାଳିକା। ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲ୍ଲାରେ। ଏଠାରେ ଜଣେ ୧୭ ବର୍ଷର ନାବାଳିକା ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇ ଘରେ ୟୁଟ୍ୟୁବ୍ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ନାବାଳିକାଙ୍କ ବାପା-ମା’ ଏ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜଣା ଥିଲେ।
ବୁଧବାର ସୂଚନା ଦେଇ ପୁଲିସ କହିଛି ଯେ, ଶିଶୁର ଜନ୍ମ ପରେ ମା ଏବଂ ଶିଶୁକୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଅଛନ୍ତି। ସେପଟେ ଦୁଷ୍କର୍ମ ଅଭିଯୋଗରେ ୨୧ ବର୍ଷିୟ ଯୁବକଙ୍କୁ POCSO ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।
ପୁଲିସ କହିଛି ଯେ, ଏହି ମାମଲା ଜିଲ୍ଲାର କୋଟାକ୍କଲ ପୁଲିସ ଷ୍ଟେସନ ଅଧୀନରେ ଆସିଛି। ଯେଉଁଠାରେ ନାବାଳିକା ଅକ୍ଟୋବର ୨୦ ତାରିଖରେ ନିଜ ଘରେ ୟୁଟ୍ୟୁବ୍ ଦେଖି ତାଙ୍କ ପେଟ କାଟି ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନାବାଳିକା ଜଣକ ପ୍ରସବ ସମୟରେ କାହାରି କୌଣସି ସହାୟତା ନେଇ ନଥିଲେ ଏବଂ ଅକ୍ଟୋବର ୨୨ରେ ଶିଶୁଟିର କାନ୍ଦ ଶୁଣି ନାବାଳିକାର ପିତାମାତା ଏହି ଘଟଣା ବିଷୟରେ ଜାଣିଥିଲେ।
ପୁଲିସ ସୂଚନା ମୁତାବକ, ଉକ୍ତ ନାବାଳିକା ଦ୍ୱାଦଶ ଶ୍ରେଣୀରେ ପାଠ ପଢେ। ତାଙ୍କ ବାପ ମାଆ ଦୃଷ୍ଟିହୀନ ହେବା ଯୋଗୁଁ ଏହାକୁ ଲୁଚାଇବାରେ ସେ ସଫଳ ହୋଇଥିଲା। ଉଭୟଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ପ୍ରେମ ସମ୍ପର୍କ ଚାଲିଥିଲା ଏବଂ ନାବାଳିକାକୁ ୧୮ ବର୍ଷ ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ। ବର୍ତ୍ତମାନ ନାବାଳିକା ଏବଂ ତାଙ୍କ ନବଜନ୍ମିତ ଶିଶୁକୁ ଅଭିଯୁକ୍ତଙ୍କ ପରିବାର ଲୋକେ ଦେଖାରେଖା କରୁଛନ୍ତି।
The post ୟୁଟ୍ୟୁବ୍ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ନାବାଳିକା appeared first on Odisha Reporter.
from Odisha Reporter https://ift.tt/3Cp3MtU
No comments:
Post a Comment