ଥିରୁଅନନ୍ତପୁରମ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ବଡ଼ ଘୋଷଣା ହୋଇଛି। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ କେରଳ ସରକାର ପ୍ରତି ମାସରେ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବେ। ଏହି ଆର୍ଥିକ ସହାୟତା ବାଦ ପୂର୍ବରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ଲାଗୁ ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ।
ବୁଧବାର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ତେବେ ବିପିଏଲ୍ କାର୍ଡଧାରୀ ଓ ଗିରବ ଲୋକମାନେ ହିଁ ଏହି ଯୋଜନାର ଲାଭ ପାଇବେ।
କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନାରେ ପ୍ରାଣ ହରାଇଥିବା ଲୋକ ଯଦି ବିପିଏଲ ତାଲିକାରେ ରହିଥିବେ, ତା’ହେଲେ ତାଙ୍କ ପରିବାରକୁ ମାସିକ ୫ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପରି ପୂର୍ବରୁ ସେମାନେ ପାଉଥିବା କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେବେନାହିଁ।
ସବୁ ସରକାରୀ ଯୋଜନା ଓ ପେନସନ ବାଦ ଏହି ଆର୍ଥିକ ସହାୟତା ଦିଆଯିବ। ସେହିପରି ରାଜ୍ୟର ସବୁ ଲୋକ ଏହାର ଫାଇଦା ପାଇବେ। ରାଜ୍ୟ ବାହାରେ ଯଦି କେରଳ କୌଣସି ଲୋକ କରୋନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ବର୍ଗ ମଧ୍ୟ ଏହାର ଲାଭ ପାଇବେ।
ଆର୍ଥିକ ଲାଭ ପାଇବାକୁ କୋଭିଡ ମୃତକଙ୍କ ପରିବାର ବର୍ଗଙ୍କୁ ଗୋଟିଏ ସାଧାରଣ ଫର୍ମରେ ସବୁ ତଥ୍ୟ ଦେଇ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆବେଦନର ୩୦ ଦିନ ମଧ୍ୟରେ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯିବ।
ଆବେଦନକାରୀଙ୍କୁ କାର୍ଯ୍ୟାଳୟକୁ କେହି ଡାକି ପାରିବେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ସରକାର ଯୋଗ୍ୟ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଅର୍ଥ ପଠାଇବେ। ୩ ବର୍ଷ ଯାଏ କୋଭିଡ ମୃତଙ୍କ ପରିବାର ବର୍ଗଙ୍କୁ ଏପରି ୫ ହଜାର ଟଙ୍କା ଲେଖାଏ ମିଳିବ। ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ଅର୍ଥ ଦିଆଯିବ।
The post କରୋନା ମୃତକଙ୍କ ପରିବାରକୁ ପ୍ରତି ମାସରେ ମିଳିବ ୫ ହଜାର appeared first on Odisha Reporter.
from Odisha Reporter https://ift.tt/2Xb9hwN
No comments:
Post a Comment