ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଭାରତ ଓ ଚାଇନା ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି। ଭେଙ୍କୟାଙ୍କ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଥିବାରୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆରଯାଇଛି। ଚାଇନାକୁ ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଭାରତୀୟ ନେତାମାନେ ଅରୁଣାଚଳକୁ ମଧ୍ୟ ନିୟମିତ ଗସ୍ତ କରୁଛନ୍ତି। ଭାରତୀୟ ନେତାମାନଙ୍କ ଏପରି ଗସ୍ତକୁ ବିରୋଧ କରିବାର କାରଣ ଭାରତର ଲୋକମାନେ ବୁଝିପାରୁ ନାହାନ୍ତି।
ଅରୁଣାଳଚଳ ପ୍ରଦେଶ ଭାରତର ଗୋଟିଏ ରାଜ୍ୟ। ତେଣୁ ଏଠାକୁ ଭାରତୀୟମାନେ ଯାଇ ପାରିବେ। ଏଥିରେ କୌଣସି ଅସୁବିଧା ନାହିଁ। ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏକଥା ସମସ୍ତେ ଜାଣିଛନ୍ତି। ଚାଇନା ଏସବୁ କଥା ଛାଡ଼ି ପୂର୍ବ ଲଦାଖ ଏଲଏସିରେ କେମିତି ଶାନ୍ତି ଫେରିବ ସେବିଷୟରେ ଚିନ୍ତା କରିବା ଦରକାର।
ଦ୍ୱିପାକ୍ଷିକ ବୁଝାମଣା ଓ ପ୍ରୋଟକଲ ଅନୁଯାୟୀ ଚାଇନା ଏଲଏସିର ସ୍ଥିତାବସ୍ଥା ବଜାୟୀ ରଖୁ। ଅଯଥା ପ୍ରସଙ୍ଗକୁ ଭିତ୍ତି କରି ଚାଇନା ବିବଦା ସୃଷ୍ଟି କରିବାକୁ ଚେଷ୍ଟା ନ କରୁ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି।
ନାଇଡୁ ଅରୁଣାଚଳ ଗସ୍ତ କରିଥିବାରୁ ଏହା ବିରୋଧରେ ଚାଇନା ମତ ଦେଇଥିଲା। ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ସୀମାନ୍ତକୁ ନେଇ ଚାଇନାର ଆଭିମୁଖ୍ୟ ସବୁବେଳେ ସ୍ଥିର ରହିଛି। ଚାଇନା କେବେ ହେଲେ ତଥାକଥିତ ଅରୁଣାଚଳ ପ୍ରଦେଶକୁ ଭାରତର ବୋଲି ବିବେଚନା କରି ନାହାନ୍ତି। ଭାରତ ବେଆଇନ ଭାବେ ଏହାକୁ ଦଖଲ କରିଛି। ତେଣୁ ସେଠାକୁ ଭାରତୀୟ ନେତାଙ୍କ ଗସ୍ତକୁ ବେଜିଂ ଦୃଢ଼ ଭାବେ ବିରୋଧ କରୁଛି।
ଭାରତ ଦୁଇ ଦେଶର ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଦରକାର। ଏଥିସହ ବିକାଶ ପାଇଁ ଚାଇନା-ଭାରତ ସମ୍ପର୍କକୁ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ଚେଷ୍ଟା କରୁ। ଚାଇନା ସହ ସବୁବେଳେ ସୀମା ବିବାଦକୁ ନେଇ ତିକ୍ତତା ସୃଷ୍ଟି କରିବା ଠିକ ନୁହେଁ। ଭାରତର ଏପରି ଆଭିମୁଖ୍ୟ ସୀମାରେ ଅଶାନ୍ତି ସୃଷ୍ଟି କରିପାରେ ବୋଲି ବେଜିଂ କହିଥିଲା।
ସୂଚନେଯୋଗ୍ୟ, ଲଦାଖ ଏଲଏସିରେ ଗତବର୍ଷ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ସାମାଧାନ କରିବାକୁ ୧୩ଥର ବୈଠକ ବସିଥିଲେ ମଧ୍ୟ ବଡ଼ଧରଣର ସଫଳତା ମିଳିନାହିଁ। ନିକଟରେ ଅନୁଷ୍ଠିତ ୧୩ତମ ବୈଠକ ବେଳେ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଭାରତ ପ୍ରସ୍ତାବ ଦେଇଥିଲେ ହେଁ ଚାଇନା ଏଥିରେ ରାଜି ହୋଇ ନଥିଲା।
The post ଉପ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ, ଜବାବ ଦେଲା ଭାରତ appeared first on Odisha Reporter.
from Odisha Reporter https://ift.tt/3FNyhvt
No comments:
Post a Comment